ନ୍ୟୁଜ ଡେକ୍ସ : ଭୁବନେଶ୍ୱର ପାତ୍ରପଡା ସ୍ଥିତ ମୋ ବସ ଡିପୋ ଆଗରେ ସୋମବାର ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଛି। ଶତାଧିକ ଆମ ବସ କର୍ମଚାରୀ ବିଭିନ୍ନ ଦାବି ନେଇ ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ଏହାର ପ୍ରଭାବରେ ୪୫ଟି ରୁଟରେ ଚଳାଚଳ କରୁଥିବା ସମସ୍ତ ୧୧୭ଟି ଆମ ବସ ସେବା ବନ୍ଦ ରହିଛି।
ସକାଳୁ ଗୋଟିଏ ମଧ୍ୟ ବସ ଡିପୋରୁ ବାହାରିନଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।କର୍ମଚାରୀମାନଙ୍କ ଅଭିଯୋଗ ଅନୁଯାୟୀ, ତିନି ମାସ ଧରି ସେମାନେ ଦରମା ପାଇନାହାନ୍ତି। ଏହା ସହ ସଠିକ ସମୟରେ ବେତନ ପ୍ରଦାନ ନ ହେବା, ESI ସମସ୍ୟା, ଏଜେନ୍ସି ପକ୍ଷରୁ ବାରମ୍ବାର ଧମକ ଦିଆଯିବା ଓ ୟୁନିଫର୍ମ ଯୋଗାଇ ନ ଦିଆଯିବାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।ସେପଟେ FNC କେସ୍କୁ ନେଇ ମଧ୍ୟ କର୍ମଚାରୀମାନେ ଅସନ୍ତୋଷ ଜଣାଇଛନ୍ତି।
ଯାତ୍ରୀଙ୍କ ଜରିମାନା କମ୍ ଥିଲେ ମଧ୍ୟ କର୍ମଚାରୀଙ୍କ ଉପରେ ୫ ହଜାର ଟଙ୍କା ଜରିମାନା ସହ ୫ ଦିନ ଡ୍ୟୁଟି ବନ୍ଦ ଭଳି କଠୋର ପଦକ୍ଷେପ ନିଆଯାଉଥିବାରୁ ଏହାର ସମାଧାନ ପାଇଁ ସେମାନେ ଦାବି ଉଠାଇଛନ୍ତି। ଆନ୍ଦୋଳନରତ କର୍ମଚାରୀମାନଙ୍କ ସହ ଏଜେନ୍ସିର ଜେନେରାଲ ମ୍ୟାନେଜର ଆଲୋଚନା କରୁଥିବା ସୂଚନା ମିଳିଛି। ତେବେ ସମସ୍ତ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ଓ କାର୍ଯ୍ୟରେ ଯୋଗ ଦିଆଯିବ ନାହିଁ ବୋଲି କର୍ମଚାରୀମାନେ ସ୍ପଷ୍ଟ ଚେତାବନୀ ଦେଇଛନ୍ତି।

