Mon. Jun 8th, 2026

ନ୍ୟୁଜ ଡେକ୍ସ : ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଲାଭାର୍ଥୀଙ୍କଠାରୁ ବେଆଇନ ଭାବେ ଅର୍ଥ ଆଦାୟକୁ ରୋକିବା ପାଇଁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହାର ଅନୁପାଳନ ଯାଞ୍ଚ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଭୁବନେଶ୍ୱରର ଦୁଇଟି ବେସରକାରୀ ଚିକିତ୍ସାଳୟରେ ଆକସ୍ମିକ ପରିଦର୍ଶନ କରିଥିଲେ।

ରାଜ୍ୟ ସ୍ୱାସ୍ଥ୍ୟ ନିଶ୍ଚିତତା ସମିତି ପକ୍ଷରୁ ଜୁନ୍ ୧ ତାରିଖରେ ଜାରି ହୋଇଥିବା ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ଯୋଜନାଭୁକ୍ତ ଚିକିତ୍ସାଳୟଗୁଡ଼ିକ ରୋଗୀଙ୍କଠାରୁ ଭର୍ତ୍ତି ପୂର୍ବରୁ ତିନି ଦିନ ଏବଂ ଚିକିତ୍ସାଳୟ ଛାଡ଼ିବା ପରେ ପନ୍ଦର ଦିନ ପର୍ଯ୍ୟନ୍ତ କୌଣସି ପରାମର୍ଶ ଶୁଳ୍କ, ଔଷଧ କିମ୍ବା ପରୀକ୍ଷା ଖର୍ଚ୍ଚ ଆଦାୟ କରିପାରିବେ ନାହିଁ। ସେହିପରି ଚିକିତ୍ସାଳୟ ଛାଡ଼ିବା ପରେ ପନ୍ଦର ଦିନ ଯାଏଁ ଆବଶ୍ୟକ ପରାମର୍ଶ, ଔଷଧ, ପରୀକ୍ଷା ଓ ଅସ୍ତ୍ରୋପଚାର ପରବର୍ତ୍ତୀ ଚିକିତ୍ସା ସେବା ଯୋଜନାର ନିର୍ଦ୍ଧାରିତ ପ୍ୟାକେଜ ମଧ୍ୟରେ ରହିବ। ଏଥିପାଇଁ ରୋଗୀଙ୍କଠାରୁ କୌଣସି ଅତିରିକ୍ତ ଅର୍ଥ ଆଦାୟ କରାଯିବ ନାହିଁ।ଯଦି ଅସ୍ତ୍ରୋପଚାର ପରେ କୌଣସି ଜଟିଳତା ଦେଖାଦିଏ କିମ୍ବା ରୋଗୀଙ୍କୁ ପୁଣିଥରେ ଭର୍ତ୍ତି କରିବାକୁ ପଡ଼େ, ତେବେ ସେହି ଖର୍ଚ୍ଚ ମଧ୍ୟ ସମ୍ପୃକ୍ତ ଚିକିତ୍ସାଳୟକୁ ବହନ କରିବାକୁ ପଡ଼ିବ ବୋଲି ସ୍ପଷ୍ଟ କରାଯାଇଛି।

ଆକସ୍ମିକ ପରିଦର୍ଶନ ସମୟରେ ମନ୍ତ୍ରୀ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ନିର୍ଦ୍ଦେଶନାମାର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ। ସେ ସହାୟତା କେନ୍ଦ୍ରର କାର୍ଯ୍ୟକଳାପ ମଧ୍ୟ ଯାଞ୍ଚ କରି ରୋଗୀମାନଙ୍କୁ ସମ୍ମାନଜନକ ଓ ଉନ୍ନତ ସେବା ଯୋଗାଇବାକୁ ପରାମର୍ଶ ଦେଇଥିଲେ।ସରକାର ସ୍ପଷ୍ଟ କରିଛନ୍ତି ଯେ, ଏହି ଯୋଜନାଗୁଡ଼ିକର ଲକ୍ଷ୍ୟ ହେଉଛି ଲୋକଙ୍କ ଚିକିତ୍ସା ଖର୍ଚ୍ଚର ଭାର କମାଇବା। ତେଣୁ କୌଣସି ଚିକିତ୍ସାଳୟ ନିୟମ ଉଲ୍ଲଂଘନ କରି ଅର୍ଥ ଆଦାୟ କଲେ ତୁରନ୍ତ ଅଭିଯୋଗ କରିବାକୁ ଲାଭାର୍ଥୀମାନଙ୍କୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *