ନ୍ୟୁଜ ଡେକ୍ସ : ରାଜ୍ୟରେ ଡିଗ୍ରୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସହ ଯୁକ୍ତ ଥିବା ଯୁକ୍ତ ଦୁଇ ମହାବିଦ୍ୟାଳୟଗୁଡ଼ିକୁ ପୃଥକ କରିବା ପ୍ରକ୍ରିୟାକୁ ସରକାର ତ୍ୱରାନ୍ୱିତ କରିଛନ୍ତି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସରକାରୀ ମହାବିଦ୍ୟାଳୟ, ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ପୁଣିଥରେ ଚିଠି ଜାରି କରାଯାଇଛି।ବିଭାଗ ପକ୍ଷରୁ କୁହାଯାଇଛି ଯେ, ଅଧିକାଂଶ ଅନୁଷ୍ଠାନରେ ବିଭାଜନ ପ୍ରକ୍ରିୟା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ।
ତେଣୁ ଡିଗ୍ରୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପୃଥକ କରିବା କାର୍ଯ୍ୟକୁ ଶୀଘ୍ର ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏହି ପ୍ରସଙ୍ଗରେ ଗତ ମେ ୬ ତାରିଖରେ ଉଚ୍ଚଶିକ୍ଷା ବିଭାଗ ଓ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ମଧ୍ୟରେ ଏକ ମିଳିତ ବୈଠକ ହୋଇଥିଲା। ବୈଠକରେ ଆଲୋଚନା ପରେ ଯୁକ୍ତ ଦୁଇ ମହାବିଦ୍ୟାଳୟଗୁଡ଼ିକୁ ଅଲଗା କରିବାକୁ ନିଷ୍ପତ୍ତି ନିଆଯାଇଥିଲା।ଏହି କାର୍ଯ୍ୟ ପାଇଁ ଜିଲ୍ଲା ସ୍ତରରେ ଏକ ଚାରିଜଣିଆ କମିଟି ଗଠନ କରାଯାଇଛି। ଜିଲ୍ଲାପାଳ ଏହାର ଅଧ୍ୟକ୍ଷ ରହିବେ। ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ, ଉପଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଏହି କମିଟିର ସଦସ୍ୟ ରହିବେ। କମିଟି କ୍ଷେତ୍ର ପରିଦର୍ଶନ କରି ବିଭାଜନ ଯୋଜନା ପ୍ରସ୍ତୁତ କରିବ।
ବିଭାଜନ ପ୍ରକ୍ରିୟାରେ ସମସ୍ୟା ଦେଖାଦେଲେ ବିକଳ୍ପ ବ୍ୟବସ୍ଥା ମଧ୍ୟ କରାଯିବ। ଆବଶ୍ୟକ ହେଲେ ଡିଗ୍ରୀ ମହାବିଦ୍ୟାଳୟର ଜମିର ଏକ ଅଂଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ପ୍ରଦାନ କରାଯିବ। ସେହିପରି ନିକଟସ୍ଥ ଉଚ୍ଚ ବିଦ୍ୟାଳୟକୁ ଉନ୍ନୀତ କରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ଗଢ଼ି ତୋଳାଯିବ।ଏହା ସହିତ ଯୁକ୍ତ ଦୁଇ ଅନୁଷ୍ଠାନର କର୍ମଚାରୀମାନଙ୍କୁ ଉନ୍ନୀତ ଅନୁଷ୍ଠାନକୁ ସ୍ଥାନାନ୍ତର କରାଯିବ ଏବଂ ପୁରୁଣା ବ୍ୟବସ୍ଥାକୁ ବନ୍ଦ କରାଯିବ। ଶିକ୍ଷା ବ୍ୟବସ୍ଥାକୁ ସୁସଂଗଠିତ କରିବା ଓ ନୂତନ ଶିକ୍ଷା ନୀତିର ଲକ୍ଷ୍ୟ ପୂରଣ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

