Mon. Jun 8th, 2026

ନ୍ୟୁଜ ଡେକ୍ସ : ରାଜଧାନୀ ଭୁବନେଶ୍ୱରରେ ଅଚାନକ ମାଡ଼ି ଆସିଥିବା କାଳବୈଶାଖୀ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ପ୍ରବଳ ଝଡ଼ ଓ ବର୍ଷା ଯୋଗୁଁ ସହରର ବିଭିନ୍ନ ଅଞ୍ଚଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷକରି ବିଦ୍ୟୁତ ବ୍ୟବସ୍ଥା ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିଥିବା ଦେଖାଯାଇଛି।ପ୍ରବଳ ପବନ ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ଶହ ଶହ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି।

ଗଛ ପଡ଼ିବା ଫଳରେ ଅନେକ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯାଇଥିବା ବେଳେ ତାର ଛିଣ୍ଡିଯାଇ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି। କାଳବୈଶାଖୀ ପରେ ମଧ୍ୟ ସହରର ଅନେକ ଅଞ୍ଚଳରେ ବିଦ୍ୟୁତ ସେବା ସ୍ୱାଭାବିକ ହୋଇପାରିନାହିଁ।ନୟାପଲ୍ଲୀ ଓ ସହିଦନଗର ଭଳି ବ୍ୟସ୍ତବହୁଳ ଅଞ୍ଚଳରେ ଲୋକମାନେ ଦୀର୍ଘ ସମୟ ଧରି ବିଦ୍ୟୁତ ବିହୀନ ଅବସ୍ଥାରେ ରହିଛନ୍ତି। ପ୍ରାୟ ପାଞ୍ଚ ଘଣ୍ଟାରୁ ଅଧିକ ସମୟ ଧରି ଅନ୍ଧକାର ସ୍ଥିତି ଲାଗି ରହିଥିବାରୁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଗରମ ଓ ଗୁଳୁଗୁଳି ମଧ୍ୟରେ ବିଦ୍ୟୁତ ବିଚ୍ଛିନ୍ନ ହେବାରୁ ଲୋକଙ୍କ ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଛି।

ବହୁ ଆବାସିକ କୋଠାରେ ପାନୀୟ ଜଳ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଏହା ସହ ରାସ୍ତାଘାଟରେ ଆଲୋକ ବ୍ୟବସ୍ଥା ବନ୍ଦ ଥିବାରୁ ଯାତାୟାତରେ ମଧ୍ୟ ସମସ୍ୟା ଦେଖାଦେଇଛି। ଅନେକ ସ୍ଥାନରେ ବର୍ଷାଜଳ ଜମି ରହିଥିବାରୁ ଯାତ୍ରୀ ଓ ଯାନବାହନ ଚାଳକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଅନ୍ୟପକ୍ଷରେ ବିଦ୍ୟୁତ ବିଭାଗ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଓ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଉପୁଡ଼ି ପଡ଼ିଥିବା ଗଛ ହଟାଇବା ସହ କ୍ଷତିଗ୍ରସ୍ତ ବିଦ୍ୟୁତ ତାର ଓ ଖୁଣ୍ଟର ମରାମତି କାମ ଜୋରସୋରରେ ଚାଲିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *