ନ୍ୟୁଜ ଡେକ୍ସ : ଇନ୍ଧନ ସଙ୍କଟକୁ ମୁକାବିଲା କରିବା ସହ ସାର୍ବଜନୀନ ପରିବହନକୁ ପ୍ରୋତ୍ସାହନ ଦେବା ପାଇଁ ଦିଲ୍ଲୀ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି। ଏଣିକି ସରକାରୀ କର୍ମଚାରୀମାନେ ବସ୍ କିମ୍ବା ମେଟ୍ରୋରେ ଯାତାୟାତ କରି ଅଫିସ ଆସିଲେ ସେମାନଙ୍କୁ ଅତିରିକ୍ତ ଭତ୍ତା ମିଳିବ। ପଶ୍ଚିମ ଏସୀୟ ଅଞ୍ଚଳରେ ଚାଲିଥିବା ସଙ୍କଟ ଏବଂ ଇନ୍ଧନ ସଞ୍ଚୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି।ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ୯୦ ଦିନିଆ ଇନ୍ଧନ ସଞ୍ଚୟ ଅଭିଯାନର ଅଂଶ ଭାବେ ଏହି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି।
ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଯେଉଁ କର୍ମଚାରୀମାନେ ଦିଲ୍ଲୀ ପରିବହନ ନିଗମ ପକ୍ଷରୁ ଜାରି ହୋଇଥିବା ସାଧାରଣ ଯାତାୟାତ କାର୍ଡରେ ନିଜ ମାସିକ ପରିବହନ ଭତ୍ତାର ଅତି କମରେ ୨୫ ପ୍ରତିଶତ ଖର୍ଚ୍ଚ କରିବେ, ସେମାନେ ଏହି ସୁବିଧା ପାଇବେ।ଏପରି ଯୋଗ୍ୟ କର୍ମଚାରୀଙ୍କୁ ସେମାନଙ୍କ ମୋଟ ପରିବହନ ଭତ୍ତାର ୧୦ ପ୍ରତିଶତ ସମାନ ଅତିରିକ୍ତ ପ୍ରୋତ୍ସାହନ ରାଶି ପ୍ରତି ମାସରେ ଦରମା ସହ ଦିଆଯିବ। ଅର୍ଥ ବିଭାଗ ପକ୍ଷରୁ ଏହି ଯୋଜନାର ରୂପରେଖ ପ୍ରସ୍ତୁତ କରାଯାଇଥିବା ବେଳେ ଖୁବଶୀଘ୍ର ସମସ୍ତ ବିଭାଗରେ ଏହା ଲାଗୁ ହେବ। ସରକାର ସ୍ପଷ୍ଟ କରିଛନ୍ତି ଯେ ଏହି ଯୋଜନା ସମ୍ପୂର୍ଣ୍ଣ ସ୍ୱଇଚ୍ଛାଧୀନ। ଯେଉଁ କର୍ମଚାରୀମାନେ ଏଥିରେ ସାମିଲ ହେବାକୁ ଚାହିବେ ସେମାନଙ୍କୁ ଯାତାୟାତ କାର୍ଡ ଯୋଗାଇ ଦିଆଯିବ। ଅନ୍ୟପଟେ, ଯେଉଁମାନେ ଏହି ଯୋଜନାରେ ଅଂଶଗ୍ରହଣ କରିବେ ନାହିଁ ସେମାନେ ପୂର୍ବବତ୍ ସାଧାରଣ ପରିବହନ ଭତ୍ତା ପାଇବେ।
ପ୍ରାରମ୍ଭିକ ଭାବେ ଏହି ଯୋଜନାକୁ ଛଅ ମାସ ପାଇଁ କାର୍ଯ୍ୟକାରୀ କରାଯାଉଛି। ଏହାର ଫଳାଫଳ ଓ ପ୍ରଭାବକୁ ସମୀକ୍ଷା କରି ପରବର୍ତ୍ତୀ ସମୟରେ ଏହାର ଅବଧି ବଢ଼ାଇବା ନେଇ ସରକାର ନିଷ୍ପତ୍ତି ନେବେ। ସ୍ୱାୟତ୍ତ ସଂସ୍ଥା, ସ୍ଥାନୀୟ ନିକାୟ, ବୋର୍ଡ, ନିଗମ ଓ ଅନୁଦାନପ୍ରାପ୍ତ ପ୍ରତିଷ୍ଠାନର କର୍ମଚାରୀମାନେ ମଧ୍ୟ ଏହି ସୁବିଧାର ଲାଭ ଉଠାଇପାରିବେ।ଇନ୍ଧନ ବ୍ୟବହାର କମାଇବା ଏବଂ ବ୍ୟକ୍ତିଗତ ଯାନବାହନ ବଦଳରେ ସାର୍ବଜନୀନ ପରିବହନ ପ୍ରତି ଲୋକଙ୍କୁ ଆକର୍ଷିତ କରିବା ହିଁ ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ବୋଲି ସରକାର କହିଛନ୍ତି।

