ନ୍ୟୁଜ ଡେକ୍ସ : ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଏବଂ ଲୋକଙ୍କୁ ଉନ୍ନତ ଚିକିତ୍ସାସେବା ପ୍ରଦାନ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ଚିକିତ୍ସା ଶିକ୍ଷାନୁଷ୍ଠାନରେ ମୋଟ ୭୫୫ଟି ନୂଆ ପଦବୀ ମଞ୍ଜୁର କରିଛନ୍ତି।ଏହି ନିଷ୍ପତ୍ତି କେବଳ ପଦବୀ ସୃଷ୍ଟିରେ ସୀମିତ ନୁହେଁ, ବରଂ ଚିକିତ୍ସା ଶିକ୍ଷାର ଗୁଣବତ୍ତା ବୃଦ୍ଧି, ଦକ୍ଷ ଡାକ୍ତର ସୃଷ୍ଟି ଏବଂ ରୋଗୀଙ୍କୁ ତ୍ୱରିତ ଓ ଉନ୍ନତ ସେବା ଯୋଗାଇବାରେ ଏହା ଏକ ଦୂରଦର୍ଶୀ ପଦକ୍ଷେପ ବୋଲି କୁହାଯାଇଛି।
ମଞ୍ଜୁର ହୋଇଥିବା ପଦବୀଗୁଡ଼ିକ ମଧ୍ୟରେ ପ୍ରଫେସର, ଆସୋସିଏଟ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର, ଟ୍ୟୁଟର, ସିନିୟର ରେସିଡେଣ୍ଟ, ଜୁନିୟର ରେସିଡେଣ୍ଟ, କାଜୁଆଲଟି ମେଡିକାଲ ଅଫିସର ଏବଂ ବ୍ଲଡ୍ ବ୍ୟାଙ୍କ ଅଫିସର ପଦବୀ ସମ୍ମିଳିତ ରହିଛି। ଏହି ପଦବୀ ପୂରଣ ହେବା ପରେ ମେଡିକାଲ କଲେଜଗୁଡ଼ିକରେ ଶିକ୍ଷକ ଓ ଚିକିତ୍ସକଙ୍କ ଉପଲବ୍ଧତା ବଢ଼ିବ। ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି।
ଏହି ନୂଆ ପଦବୀ ମଞ୍ଜୁର ଫଳରେ ରାଜ୍ୟରେ ମାନବ ସମ୍ବଳ ବୃଦ୍ଧି ପାଇବ ଏବଂ ଲୋକେ ଅଧିକ ଉନ୍ନତ ଚିକିତ୍ସା ସୁବିଧା ପାଇପାରିବେ।ସେ ଆହୁରି କହିଛନ୍ତି ଯେ, ନୂତନ ମେଡିକାଲ କଲେଜରେ ଆସନ ସଂଖ୍ୟା ବୃଦ୍ଧି ଓ ସ୍ନାତକୋତ୍ତର ସିଟ ବୃଦ୍ଧି ପରେ ଏହି ପଦବୀଗୁଡ଼ିକ ଅତ୍ୟାବଶ୍ୟକ ଥିଲା। ଏହା ରାଜ୍ୟର ଚିକିତ୍ସା ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ମାଇଲସ୍ଟୋନ ସ୍ଥାପନ କରିବ ବୋଲି ସେ ପ୍ରକାଶ କରିଛନ୍ତି।

