Mon. Jun 15th, 2026

ନ୍ୟୁଜ ଡେକ୍ସ : ଓଡ଼ିଶାବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର। ଆଗାମୀ ଦୁଇ ଦିନ ମଧ୍ୟରେ ମୌସୁମୀ ଓଡ଼ିଶାରେ ପ୍ରବେଶ କରିବାର ସମ୍ଭାବନା ଥିବାବେଳେ ଆସନ୍ତା ୧୩ ତାରିଖ ସୁଦ୍ଧା ରାଜ୍ୟର ତାପମାତ୍ରା ଦୁଇରୁ ଚାରି ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।ପାଣିପାଗ ବିଭାଗ ସୂଚନା ଅନୁସାରେ, ଆଗାମୀ ଦୁଇ ଦିନ ଯାଏଁ ରାଜ୍ୟରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ।

ଦିନର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବାବେଳେ ୧୩ ତାରିଖ ବେଳକୁ ପାରଦ ତଳକୁ ଖସିବା ଆରମ୍ଭ କରିବ।ଅନୁକୂଳ ପାଗ ଯୋଗୁଁ ଆଗାମୀ ତିନି ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ସେହିପରି ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ଜାରି ରହିବ ବୋଲି ବିଭାଗ କହିଛି।

ଆଗାମୀ ଚବିଶ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଏବଂ ଝଟକା ପବନ ବହିବାର ସମ୍ଭାବନା ରହିଛି। ଏଥିସହ କୋରାପୁଟ, ମାଲକାନଗିରି ଓ ମୟୂରଭଞ୍ଜ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଶେଷଜ୍ଞମାନେ ବଜ୍ରପାତ ଓ ପ୍ରବଳ ପବନ ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ମୌସୁମୀର ଆଗମନ ସହ ରାଜ୍ୟରେ ଖରା ଓ ଅସହ୍ୟ ଗରମରୁ ଲୋକମାନେ କିଛିଟା ଆଶ୍ୱସ୍ତି ପାଇବେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *