Tue. Jun 16th, 2026

ନ୍ୟୁଜ ଡେକ୍ସ : ଓଡ଼ିଶାର ପ୍ରମୁଖ ଗଣପର୍ବ ରଜ ଉତ୍ସବ ଏବେ ତାହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ହେଉଛି ରଜ ପର୍ବର ତୃତୀୟ ଦିନ ବା ଶେଷ ରଜ। ତିନି ଦିନ ଧରି ଚାଲିଥିବା ଏହି ଲୋକପ୍ରିୟ ପର୍ବକୁ ନେଇ ସାରା ରାଜ୍ୟରେ ଉତ୍ସାହ ଓ ଉଦ୍ଦୀପନାର ପରିବେଶ ଦେଖିବାକୁ ମିଳିଛି। ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ସବୁଠି ରଜର ମାହୋଲ ଜମିଉଠିଛି। ଘରେ ଘରେ ପାରମ୍ପରିକ ଖାଦ୍ୟର ଆସର ଜମିଥିବା ବେଳେ ଦୋଳି ଖେଳ, ଗୀତ ଓ ନାଚରେ ମସଗୁଲ ହୋଇପଡ଼ିଛନ୍ତି ଲୋକେ।ରଜ ପର୍ବର ପ୍ରଥମ ଦିନ ପହିଲି ରଜ ଓ ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି ପାଳନ କରାଯାଇଥିଲା।

ଆଜି ଶେଷ ରଜ ଅବସରରେ ବିଭିନ୍ନ ସ୍ଥାନରେ ଲୋକେ ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ମିଳିମିଶି ଉତ୍ସବର ଆନନ୍ଦ ଉଠାଉଛନ୍ତି। ରଜ ଅବସରରେ ଧରିତ୍ରୀ ମାତାଙ୍କୁ ସମ୍ମାନ ଜଣାଇବାର ପରମ୍ପରା ରହିଥିବା ବେଳେ ଏହି ପର୍ବ ନାରୀଶକ୍ତି, ପ୍ରକୃତି ଓ ଉର୍ବରତାର ପ୍ରତୀକ ଭାବେ ପାଳନ କରାଯାଇଥାଏ।ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦୋଳି ଖେଳକୁ ନେଇ ବିଶେଷ ଆକର୍ଷଣ ଦେଖାଯାଉଛି। ଗଛ ଡାଳରେ ବନ୍ଧାଯାଇଥିବା ରଙ୍ଗିନ ଦୋଳିରେ କୁନି କୁନି ପିଲାଙ୍କ ଠାରୁ ଆରମ୍ଭ କରି କୁମାରୀ ଝିଅ, ଯୁବତୀ ଓ ମହିଳାମାନେ ଝୁଲି ରଜର ଆନନ୍ଦ ନେଉଛନ୍ତି। ଅନେକ ସ୍ଥାନରେ ରଜ ଗୀତର ତାଳେ ତାଳେ ଦୋଳି ଖେଳ ଜମିଉଠିଥିବା ବେଳେ ପରିବେଶ ହୋଇଉଠିଛି ଉତ୍ସବମୁଖର।ଘରେ ଘରେ ପାରମ୍ପରିକ ପୋଡ଼ପିଠା, ମଣ୍ଡା, ଆରିସା, କାକରା ଓ ବିଭିନ୍ନ ପ୍ରକାର ମିଠା ପ୍ରସ୍ତୁତ କରାଯାଉଛି। ରଜ ପାନର ସ୍ୱାଦ ନେବା ସହ ପରିବାର ସଦସ୍ୟ ଓ ଅତିଥିମାନଙ୍କୁ ଆପ୍ୟାୟିତ କରାଯାଉଛି। ବଜାରଗୁଡ଼ିକରେ ମଧ୍ୟ ପିଠା ଓ ମିଠା ଦୋକାନରେ ଭିଡ଼ ଦେଖିବାକୁ ମିଳୁଛି। ନୂଆ ପୋଷାକ ପିନ୍ଧି ଯୁବପିଢ଼ି ଓ ମହିଳାମାନେ ରଜ ଉତ୍ସବକୁ ଉପଭୋଗ କରୁଛନ୍ତି।ସାମାଜିକ ଓ ସାଂସ୍କୃତିକ ଦୃଷ୍ଟିରୁ ରଜ ପର୍ବ ଓଡ଼ିଶାର ଏକ ନିଆରା ପରିଚୟ ବହନ କରେ। ଏହା କେବଳ ଏକ ପର୍ବ ନୁହେଁ, ବରଂ ଓଡ଼ିଆ ଜୀବନଶୈଳୀ, ପରମ୍ପରା ଓ ସଂସ୍କୃତିର ଏକ ଅଭିନ୍ନ ଅଂଶ।

ରଜ ମାଧ୍ୟମରେ ଲୋକେ ପରସ୍ପର ସହ ମିଳନ, ସୌହାର୍ଦ୍ୟ ଓ ଆନନ୍ଦର ବାର୍ତ୍ତା ବାଣ୍ଟିଥାନ୍ତି।ଶେଷ ରଜ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାଂସ୍କୃତିକ ଆୟୋଜନ, ଲୋକନୃତ୍ୟ ଓ ଲୋକଗୀତ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି। ରଜର ଶେଷ ଦିନକୁ ସ୍ମରଣୀୟ କରିବା ପାଇଁ ଲୋକେ ବିଭିନ୍ନ ପାରମ୍ପରିକ ରୀତିନୀତି ପାଳନ କରୁଛନ୍ତି। ଏହା ସହ ଆସନ୍ତାକାଲି ବସୁମତୀ ସ୍ନାନ ପାଇଁ ମଧ୍ୟ ଘରେ ଘରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରଜ ପର୍ବର ଏହି ଆନନ୍ଦଘନ ପରିବେଶ ମଧ୍ୟରେ ସାରା ଓଡ଼ିଶା ଉତ୍ସବର ରଙ୍ଗରେ ରଙ୍ଗାଇ ହୋଇଥିବା ବେଳେ ଦୋଳି ଖେଳ, ପୋଡ଼ପିଠାର ମହକ ଓ ରଜ ଗୀତର ସୁରରେ ମୁଖରିତ ହୋଇଉଠିଛି ଜନଜୀବନ। ଓଡ଼ିଆ ଅସ୍ମିତା ଓ ପରମ୍ପରାର ଏହି ମହାନ ଗଣପର୍ବ ପୁଣିଥରେ ଲୋକଙ୍କୁ ଏକତା ଓ ଆନନ୍ଦର ସୂତ୍ରରେ ବାନ୍ଧି ଦେଇଛି।

Leave a Reply

Your email address will not be published. Required fields are marked *