Wed. Jun 17th, 2026

ନ୍ୟୁଜ ଡେକ୍ସ : ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ହେବା ସହ ହର୍ମୁଜ୍ ପ୍ରଣାଳୀରେ ତୈଳ ପରିବହନ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି। ଏହାର ପ୍ରଭାବରେ ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୮ ଟଙ୍କା ପର୍ଯ୍ୟନ୍ତ କମିପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଏହା ପାଇଁ କେନ୍ଦ୍ର ସରକାର ଓ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀମାନଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଉଛି।ସମ୍ପ୍ରତି ଅଶୋଧିତ ତୈଳର ମୂଲ୍ୟ ଭାରତୀୟ ମାନଦଣ୍ଡ ଅନୁସାରେ ପ୍ରତି ବ୍ୟାରେଲ ୮୫ ଡଲାରକୁ ଖସି ଆସିଛି।

ବଜାର ବିଶେଷଜ୍ଞମାନଙ୍କ ମତରେ ଆଗାମୀ ଦିନରେ ଏହି ଦର ଆହୁରି କମିବାର ସମ୍ଭାବନା ରହିଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ହର୍ମୁଜ୍ ପ୍ରଣାଳୀ ଦେଇ ତୈଳବାହୀ ଜାହାଜ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା, ଯାହାର ପ୍ରଭାବ ବିଶ୍ୱ ତୈଳ ବଜାର ଉପରେ ପଡ଼ିଥିଲା।କ୍ଷତି ଭରଣା ପାଇଁ ଗତ ମେ ମାସରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀମାନେ ଚାରିଥରରେ ପେଟ୍ରୋଲ ଓ ଡିଜେଲ ଦର ମୋଟ ୮ ଟଙ୍କା ପର୍ଯ୍ୟନ୍ତ ବଢ଼ାଇଥିଲେ। ପରେ କେନ୍ଦ୍ର ସରକାର ତୈଳ ଉପରେ ଲାଗୁଥିବା ଉତ୍ପାଦ ଶୁଳ୍କ ୧୦ ଟଙ୍କା କମାଇଥିଲେ ମଧ୍ୟ ଏହାର ପ୍ରତ୍ୟକ୍ଷ ଲାଭ ଗ୍ରାହକଙ୍କ ପାଖକୁ ପହଞ୍ଚି ନଥିଲା।

ସେହି ସମୟରେ ତୈଳ ଯୋଗାଣ କମିଯିବାରୁ ବିଭିନ୍ନ ପେଟ୍ରୋଲ ପମ୍ପରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା।ଉତ୍କଳ ପେଟ୍ରୋଲିୟମ ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠଙ୍କ କହିବା ଅନୁସାରେ, ଯଦି ଅଶୋଧିତ ତୈଳ ଦର ପ୍ରତି ବ୍ୟାରେଲ ୭୫ ଡଲାରକୁ ଖସିଆସେ, ତେବେ କେନ୍ଦ୍ର ସରକାର ଓ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀମାନେ ଦର ହ୍ରାସ ନେଇ ନିଷ୍ପତ୍ତି ନେଇପାରନ୍ତି। ତେବେ ଗ୍ରାହକଙ୍କୁ ଆଶ୍ୱସ୍ତି ଦେବା ପାଇଁ ସରକାର ଏହା ପୂର୍ବରୁ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର କମାଇବା ଉପରେ ବିଚାର କରିପାରନ୍ତି।

Leave a Reply

Your email address will not be published. Required fields are marked *