ନ୍ୟୁଜ ଡେକ୍ସ :ରାଉରକେଲାର ଝିରପାଣି ନିକଟରେ ପୋଲିସ ଓ ଦୁଇ ହତ୍ୟା ଅଭିଯୁକ୍ତଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏହି ଘଟଣାରେ ଚୁନୁ ଓ ସୁଶାନ୍ତ ନାମକ ଦୁଇ ଅଭିଯୁକ୍ତ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି।ଆହତ ଦୁହିଁଜଣଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଚିକିତ୍ସାଳୟକୁ ଭର୍ତ୍ତି କରାଯାଇଛି।
ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଡାକ୍ତରମାନେ ନଜର ରଖିଛନ୍ତି।ପୋଲିସ ସୂଚନା ଅନୁଯାୟୀ, ସେକ୍ଟର-୭ ଥାନା ଅନ୍ତର୍ଗତ ସରସ୍ୱତୀ ଶିଶୁ ମନ୍ଦିର ନିକଟ ରାମେଶ୍ୱର ବସ୍ତିରେ ଗତ ଜୁନ୍ ୧୬ ତାରିଖରେ ଘଟିଥିବା ଏକ ହତ୍ୟାକାଣ୍ଡରେ ଏହି ଦୁଇଜଣଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ରହିଥିଲା। ଘଟଣା ପରେ ସେମାନେ ଫେରାର ହୋଇଯାଇଥିବାରୁ ପୋଲିସ ସେମାନଙ୍କୁ ଖୋଜୁଥିଲା।
ହତ୍ୟାକାଣ୍ଡ ପରେ ଅପରାଧୀମାନଙ୍କୁ ଶୀଘ୍ର ଗିରଫ କରିବା ଦାବିରେ ସ୍ଥାନୀୟ ବାସିନ୍ଦାମାନେ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରାଥମିକ ତଦନ୍ତରୁ ଏହି ଆକ୍ରମଣରେ ପ୍ରାୟ ୩୦ ଜଣ ଲୋକ ସମ୍ପୃକ୍ତ ଥିବା ଜଣାପଡ଼ିଛି।ପୋଲିସ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ସମୟରେ ଦୁଇ ପ୍ରମୁଖ ସନ୍ଦିଗ୍ଧଙ୍କ ସହ ଗୁଳି ବିନିମୟ ଘଟିଥିଲା। ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସର ତଲାସି ଓ ଅଭିଯାନ ଜାରି ରହିଛି।

