Sun. Jun 21st, 2026

ନ୍ୟୁଜ ଡେକ୍ସ : ସମ୍ବଲପୁର ସହରରେ ଅବକାରୀ ଗୋଇନ୍ଦା ଓ ପ୍ରବର୍ତ୍ତନ ବ୍ୟୁରୋ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇ ପ୍ରାୟ ୨୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ନିଶାଦ୍ରବ୍ୟ, ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

ସୂଚନା ଅନୁଯାୟୀ, ସମ୍ବଲପୁର ଅବକାରୀ ଗୋଇନ୍ଦା ଓ ପ୍ରବର୍ତ୍ତନ ବ୍ୟୁରୋ ଶାଖା ପକ୍ଷରୁ ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢ଼ାରଜା ଦେହେରୀପାଲି ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଏକ ମିଳିତ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ୨୪୨ ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହ ୫ ଜଣ ଅଭିଯୁକ୍ତଙ୍କୁ କାବୁ କରାଯାଇଥିଲା।ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଦେହେରୀପାଲି ଅଞ୍ଚଳର ସୁମନ୍ତ ମୁଣ୍ଡା, ରାହୁଲ ନାଗ, ସୌରଭ ଆଦବାର, ସତ୍ୟମ ମହାନନ୍ଦୀ ଏବଂ ସୁବୋଧ ଭୋଇ।

ସେମାନଙ୍କ ନିକଟରୁ ୪ଟି ମୋବାଇଲ ଫୋନ, ୬ ହଜାର ଟଙ୍କା ନଗଦ ରାଶି ଏବଂ ଗୋଟିଏ ଦୁଇଚକିଆ ଯାନ ମଧ୍ୟ ଜବତ କରାଯାଇଛି। ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ବଜାର ମୂଲ୍ୟ ୨୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଏହି ଘଟଣାକୁ ନେଇ ସମ୍ବଲପୁର ଅବକାରୀ ଗୋଇନ୍ଦା ଓ ପ୍ରବର୍ତ୍ତନ ବ୍ୟୁରୋ ୟୁନିଟ ପକ୍ଷରୁ ୩୨୧/୨୬-୨୭ ନମ୍ବରରେ ଏକ ମାମଲା ରୁଜୁ କରାଯାଇଛି।ସମସ୍ତ ଅଭିଯୁକ୍ତଙ୍କୁ ଶୁକ୍ରବାର ଅଦାଲତରେ ହାଜର କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *