ନ୍ୟୁଜ ଡେକ୍ସ : ଭେନେଜୁଏଲାର ରାଜଧାନୀ କାରାକାସ ନିକଟବର୍ତ୍ତୀ ଅଞ୍ଚଳରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି ଭୂମିକମ୍ପରେ ବ୍ୟାପକ କ୍ଷୟକ୍ଷତି ଘଟିଥିବାବେଳେ ୧୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।ସୂଚନା ଅନୁସାରେ, ପ୍ରଥମେ ୭.୧ ତୀବ୍ରତାର ଭୂମିକମ୍ପ ହୋଇଥିବାବେଳେ କିଛି ସେକେଣ୍ଡ ପରେ ୭.୫ ତୀବ୍ରତାର ଆଉ ଏକ ଶକ୍ତିଶାଳୀ ଝଟକା ଅନୁଭୂତ ହୋଇଥିଲା।
ଏହାର କେନ୍ଦ୍ରସ୍ଥଳ କାରିବିଆନ୍ ଉପକୂଳରେ ଥିବା ମୋରୋନ ସହରଠାରୁ ପ୍ରାୟ ୨୮ କିଲୋମିଟର ପଶ୍ଚିମରେ ଏବଂ ଭୂପୃଷ୍ଠର ୧୩ କିଲୋମିଟର ଗଭୀରରେ ଥିବା ଜଣାପଡ଼ିଛି।ଭୂମିକମ୍ପର ଝଟକା ଅନୁଭବ କରି ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଦୌଡ଼ି ଆସିଥିଲେ। ଅନେକ ସ୍ଥାନରେ ଘର ଏବଂ କୋଠାଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।ଭେନେଜୁଏଲାର ଗୃହମନ୍ତ୍ରୀ ଦିଓସଡାଡୋ କାବେୟୋ କହିଛନ୍ତି ଯେ କାରାକାସର ଆଲଟାମିରା ଅଞ୍ଚଳର ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି।
ଅନେକ ଘର ଓ ବହୁତଳ କୋଠା ଭୁଶୁଡ଼ି ପଡ଼ିଥିବାବେଳେ ଦୁର୍ବଳ ସଂରଚନାଗୁଡ଼ିକୁ ଆହୁରି କ୍ଷତି ପହଞ୍ଚିବାର ଆଶଙ୍କା ରହିଛି। ସେଥିପାଇଁ ଲୋକମାନଙ୍କୁ ଘର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।ଏହି ଘଟଣାରେ କିଛି ଲୋକ ଆହତ ହୋଇଥିବା ଖବର ମିଳିଛି। ଉଦ୍ଧାରକାରୀ ଦଳ ଏବଂ ଜରୁରୀକାଳୀନ ସେବା ଯାନଗୁଡ଼ିକର ଚଳାଚଳ ସୁବିଧା ପାଇଁ ସଡ଼କ ଖାଲି ରଖିବାକୁ ଯାନଚାଳକମାନଙ୍କୁ ଅନୁରୋଧ କରାଯାଇଛି। ପ୍ରଶାସନ ପକ୍ଷରୁ ସହାୟତା ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

