ନ୍ୟୁଜ ଡେକ୍ସ : ମାରାତ୍ମକ ଇବୋଲା ଭୂତାଣୁକୁ ନେଇ ପୁଣିଥରେ ବିଶ୍ୱସ୍ତରରେ ଚିନ୍ତା ବଢ଼ିଛି। ଆଫ୍ରିକାର ଦେଶ କଙ୍ଗୋରେ ବ୍ୟାପୁଥିବା ଇବୋଲା ସଂକ୍ରମଣ ମଧ୍ୟରେ ଫ୍ରାନ୍ସରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି। ଚିହ୍ନଟ ବ୍ୟକ୍ତି ଜଣେ ଚିକିତ୍ସକ ହୋଇଥିବାବେଳେ ସେ ନିକଟରେ କଙ୍ଗୋରୁ ଫେରିଥିଲେ।ସଂକ୍ରମଣ ଚିହ୍ନଟ ହେବା ପରେ ତାଙ୍କୁ ତୁରନ୍ତ ସ୍ୱତନ୍ତ୍ର ପୃଥକୀକରଣ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି।
ସଂକ୍ରମଣ ଅନ୍ୟମାନଙ୍କ ମଧ୍ୟରେ ନ ବ୍ୟାପିବା ପାଇଁ ଫ୍ରାନ୍ସର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଚିହ୍ନଟ ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ତେବେ ଏହା ସ୍ଥାନୀୟ ସଂକ୍ରମଣ ନୁହେଁ ବୋଲି ପ୍ରଶାସନ ସ୍ପଷ୍ଟ କରିଛି।କଙ୍ଗୋରେ ମେ ମାସରେ ଇବୋଲା ପ୍ରକୋପ ଘୋଷଣା କରାଯାଇଥିଲା। ଚଳିତ ବର୍ଷ ବ୍ୟାପୁଥିବା ଭୂତାଣୁର ଏହି ରୂପ ପୂର୍ବରୁ ଦେଖାଯାଇଥିବା ପ୍ରକାରଠାରୁ ଭିନ୍ନ ବୋଲି କୁହାଯାଉଛି। ଏହି ସଂକ୍ରମଣ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ସ୍ୱତନ୍ତ୍ର ପ୍ରତିଷେଧକ ଟିକା କିମ୍ବା ନିର୍ଦ୍ଦିଷ୍ଟ ଚିକିତ୍ସା ଉପଲବ୍ଧ ନଥିବାରୁ ଚିନ୍ତା ବଢ଼ିଛି।
ସୂଚନା ଅନୁସାରେ, କଙ୍ଗୋରେ ସଂକ୍ରମିତଙ୍କ ସଂଖ୍ୟା ଏକ ହଜାରରୁ ଅଧିକ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ଦୁଇ ଶହ ଷାଠିରୁ ଅଧିକରେ ପହଞ୍ଚିଛି। ଗୃହଯୁଦ୍ଧ ଏବଂ ଯାତାୟାତ ସମସ୍ୟା ଯୋଗୁଁ ସଂକ୍ରମଣ ନିୟନ୍ତ୍ରଣ କାର୍ଯ୍ୟ ପ୍ରଭାବିତ ହେଉଥିବା ଜଣାପଡ଼ିଛି।ଏହାପରେ ଫ୍ରାନ୍ସ ସମେତ ଅନ୍ୟ ଦେଶଗୁଡ଼ିକ କଙ୍ଗୋରୁ ଫେରୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖିଛନ୍ତି। ଜ୍ୱର, ପ୍ରବଳ କ୍ଲାନ୍ତି, ମାଂସପେଶୀ ଯନ୍ତ୍ରଣା, ବାନ୍ତି କିମ୍ବା ରକ୍ତସ୍ରାବ ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସା ପରାମର୍ଶ ନେବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଅନୁରୋଧ କରିଛନ୍ତି।

