ନ୍ୟୁଜ ଡେକ୍ସ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ତିନି ରଥର ଦଉଡ଼ି ପହଞ୍ଚିଛି। ଦୁଇଟି ଗାଡ଼ି ଯୋଗେ ତିନି ରଥ ପାଇଁ ମୋଟ ୨୮ଟି ଦଉଡ଼ି ଆଣାଯାଇଛି। ଓଡ଼ିଶା କତା ନିଗମ ପକ୍ଷରୁ ଏହି ଦଉଡ଼ିଗୁଡ଼ିକ ପ୍ରସ୍ତୁତ କରାଯାଇଛି।ସୂଚନା ଅନୁସାରେ, ପ୍ରତ୍ୟେକ ଦଉଡ଼ିର ଲମ୍ବ ୨୨୦ ଫୁଟ୍ ଅର୍ଥାତ୍ ୬୭ ମିଟର ହୋଇଥିବାବେଳେ ଗୋଲେଇ ୮ ଇଞ୍ଚ ରହିଛି।
ପ୍ରତ୍ୟେକ ରଥରେ ୪ଟି ଲେଖାଏଁ ଦଉଡ଼ି ବ୍ୟବହାର କରାଯିବ। ଏହାଛଡ଼ା ପ୍ରତ୍ୟେକ ରଥ ପାଇଁ ୨ଟି ଲେଖାଏଁ ଅତିରିକ୍ତ ଦଉଡ଼ି ରଖାଯାଇଛି। ସେହିପରି ପ୍ରଶାସନ ପକ୍ଷରୁ ଆଉ ୨ଟି ଦଉଡ଼ି ସଂରକ୍ଷିତ ରଖାଯାଇଥିବା ଜଣାପଡ଼ିଛି।ଅନ୍ୟପଟେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଭାବେ ଚାଲିଛି। ବିଶ୍ୱକର୍ମା, ଭୋଇ ଓ ରୂପକାର ସେବକମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି।ତିନି ରଥର ଦଉଡ଼ିର ନାମ ମଧ୍ୟ ସ୍ୱତନ୍ତ୍ର ରହିଛି।
ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦଉଡ଼ିର ନାମ ଶଙ୍ଖଚୂଡ଼ ଥିବାବେଳେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥର ଦଉଡ଼ିର ନାମ ବାସୁକୀ। ସେହିପରି ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ଦଉଡ଼ିର ନାମ ସ୍ୱର୍ଣ୍ଣଚୂଡ଼ ରହିଛି। ରଥଯାତ୍ରା ପୂର୍ବରୁ ଦଉଡ଼ି ପହଞ୍ଚିବା ସହ ରଥ ପ୍ରସ୍ତୁତି କାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହୋଇଛି।

