Sun. Jun 28th, 2026

ନ୍ୟୁଜ ଡେକ୍ସ : ହର୍ମୁଜ ପ୍ରଣାଳୀରେ ଏକ ମାଲବାହୀ ଜାହାଜ ଉପରେ ଡ୍ରୋନ ଆକ୍ରମଣ ପରେ ଇରାନ ଓ ଆମେରିକା ମଧ୍ୟରେ ପୁଣି ଥରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଘଟଣା ପରେ ଆମେରିକା ଇରାନର ମିସାଇଲ ଓ ଡ୍ରୋନ ସଂରକ୍ଷଣ କେନ୍ଦ୍ର ସହ ଉପକୂଳବର୍ତ୍ତୀ ରାଡାର କେନ୍ଦ୍ରଗୁଡ଼ିକ ଉପରେ ବିମାନ ଆକ୍ରମଣ କରିଥିବା ବେଳେ ଇରାନ ମଧ୍ୟ ଏହାର କଡ଼ା ଜବାବ ଦେଇଛି।

ସୂଚନା ଅନୁସାରେ, ସିଙ୍ଗାପୁର ପତାକା ବହନ କରୁଥିବା ମାଲବାହୀ ଜାହାଜ ‘ଏଭର ଲଭ ଲି’ ଓମାନ ଉପକୂଳ ଦେଇ ହର୍ମୁଜ ପ୍ରଣାଳୀ ଅତିକ୍ରମ କରୁଥିବା ସମୟରେ ଏହା ଉପରେ ଚାରିଟି ଆତ୍ମଘାତୀ ଡ୍ରୋନ ଆକ୍ରମଣ କରାଯାଇଥିଲା। ସେଥିମଧ୍ୟରୁ ତିନିଟି ଡ୍ରୋନକୁ ପ୍ରତିହତ କରାଯାଇଥିବା ବେଳେ ଗୋଟିଏ ଡ୍ରୋନ ଜାହାଜର ଉପରିଭାଗରେ ଆଘାତ କରିଥିଲା। ଏଥିରେ ଜାହାଜର ସାମାନ୍ୟ କ୍ଷତି ହୋଇଥିବା ସୂଚନା ମିଳିଛି।ଏହାପରେ ଆମେରିକା ବାୟୁସେନା ପ୍ରାୟ ନବେ ମିନିଟ ଧରି ଅଭିଯାନ ଚଳାଇ ଦକ୍ଷିଣ ଇରାନର ସିରିକ ବନ୍ଦର, କେଶମ ଦ୍ୱୀପ ନିକଟସ୍ଥ ସାମରିକ ଘାଟି ଏବଂ ଅନ୍ୟାନ୍ୟ ମିସାଇଲ ଓ ଡ୍ରୋନ କେନ୍ଦ୍ରକୁ ଲକ୍ଷ୍ୟ କରି ବିମାନ ଆକ୍ରମଣ କରିଥିଲା। ଏହି ଅଭିଯାନରେ ଆଧୁନିକ ଯୁଦ୍ଧ ବିମାନ ବ୍ୟବହାର କରାଯାଇଥିବା ଜଣାପଡ଼ିଛି।

ଆମେରିକାର ଏହି ଆକ୍ରମଣ ପରେ ଇରାନର ଇସଲାମିକ ବିପ୍ଳବୀ ରକ୍ଷୀ ବାହିନୀ ତୁରନ୍ତ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛି। ଆଞ୍ଚଳିକ ଅଞ୍ଚଳରେ ମୁତୟନ ଥିବା ଆମେରିକୀୟ ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିବା ଦାବି କରାଯାଇଛି। ସେହିସହ ଆମେରିକା ପୁଣି ଆକ୍ରମଣ କଲେ ତାହାର ଅଧିକ କଠୋର ଜବାବ ଦିଆଯିବ ବୋଲି ଇରାନ ପକ୍ଷରୁ ଚେତାବନୀ ଦିଆଯାଇଛି।ଅନ୍ୟପକ୍ଷରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଆକ୍ରମଣକୁ ମୁର୍ଖାମୀ ବୋଲି ଅଭିହିତ କରିଛନ୍ତି। ଉଭୟ ଦେଶ ମଧ୍ୟରେ ପୁଣି ଥରେ ବଢ଼ିଥିବା ସାମରିକ ଉତ୍ତେଜନା ଫଳରେ ଏହି ଅଞ୍ଚଳରେ ଶାନ୍ତି ପ୍ରୟାସ ଓ ଚୁକ୍ତିର ଭବିଷ୍ୟତକୁ ନେଇ ନୂଆ ଚିନ୍ତା ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *