ନ୍ୟୁଜ ଡେକ୍ସ : ଆରବିଆଇ ଦ୍ୱାରା ନିୟନ୍ତ୍ରିତ ମାଇକ୍ରୋଫାଇନାନ୍ସ ଅନୁଷ୍ଠାନଗୁଡ଼ିକର ସଂଘ ମାଇକ୍ରୋଫାଇନାନ୍ସ ଇଣ୍ଡଷ୍ଟ୍ରି ନେଟୱର୍କ (ଏମଫିନ୍)ର ୧୭ତମ ବାର୍ଷିକ ସାଧାରଣ ବୈଠକରେ ଦିବ୍ୟଜ୍ୟୋତି ପଟ୍ଟନାୟକଙ୍କୁ ଏମଫିନ୍ ବୋର୍ଡର ଅଧ୍ୟକ୍ଷ ଏବଂ ଜ୍ଞାନ ମୋହନଙ୍କୁ ଉପାଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି।ଦିବ୍ୟଜ୍ୟୋତି ପଟ୍ଟନାୟକ ବର୍ତ୍ତମାନ ଅନ୍ନପୂର୍ଣ୍ଣା ଫାଇନାନ୍ସ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶକ ଥିବାବେଳେ ଜ୍ଞାନ ମୋହନ ଆଦି ଚିତ୍ରଗୁପ୍ତ ଫାଇନାନ୍ସ ଲିମିଟେଡ୍ର ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି।
ସେହିପରି ଏମଫିନ୍ ପରିଚାଳନା ବୋର୍ଡରେ ଆଲୋକ ପଟେଲ, ଗଣେଶ ନାରାୟଣନ, ସୁଦୀପ୍ତ ରାୟ ଓ ଭେଙ୍କଟେଶ କ୍ରିଷ୍ଣନଙ୍କୁ ନୂଆ ସଦସ୍ୟ ଭାବେ ସ୍ୱାଗତ କରାଯାଇଛି। ବିଦାୟୀ ସଦସ୍ୟ ବିନିତ ଚାଟ୍ରି ଓ ମନୋଜ କୁମାର ନାମ୍ବିଆରଙ୍କ ଅବଦାନକୁ ମଧ୍ୟ ଏମଫିନ୍ ପକ୍ଷରୁ ପ୍ରଶଂସା କରାଯାଇଛି।ନୂଆ ଅଧ୍ୟକ୍ଷ ଦିବ୍ୟଜ୍ୟୋତି ପଟ୍ଟନାୟକ କହିଛନ୍ତି ଯେ, ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ସଂଗଠନର ନେତୃତ୍ୱ ନେବା ତାଙ୍କ ପାଇଁ ଗର୍ବର ବିଷୟ। ମାଇକ୍ରୋଫାଇନାନ୍ସ କ୍ଷେତ୍ରରେ ସ୍ଥାୟୀ ଅଭିବୃଦ୍ଧି, ଦାୟିତ୍ୱବାନ ଋଣ ପ୍ରଦାନ ଏବଂ ନିୟାମକ ସଂସ୍ଥା ଓ ଋଣଦାତାଙ୍କ ସହ ବିଶ୍ୱାସକୁ ଆହୁରି ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି।ଉପାଧ୍ୟକ୍ଷ ଜ୍ଞାନ ମୋହନ କହିଛନ୍ତି ଯେ, ମାଇକ୍ରୋଫାଇନାନ୍ସ କ୍ଷେତ୍ର ମହିଳା ଓ ବଞ୍ଚିତ ବର୍ଗଙ୍କ ସମେତ ଲକ୍ଷ ଲକ୍ଷ ଲୋକଙ୍କ ନିକଟରେ ଆର୍ଥିକ ସୁଯୋଗ ପହଞ୍ଚାଇ ସେମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଛି।
ଆଗାମୀ ଦିନରେ ଗ୍ରାହକ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି।ଏମଫିନ୍ର ନିର୍ଦ୍ଦେଶକ ଓ ସିଇଓ ଡକ୍ଟର ଆଲୋକ ମିଶ୍ର କହିଛନ୍ତି ଯେ, ମାଇକ୍ରୋଫାଇନାନ୍ସ କ୍ଷେତ୍ର ବିଭିନ୍ନ ଚ୍ୟାଲେଞ୍ଜ ସତ୍ତ୍ୱେ ସ୍ଥିରତା ଓ ଶୃଙ୍ଖଳାର ପରିଚୟ ଦେଇଛି। ନୀତି ପରାମର୍ଶ, ଦକ୍ଷତା ବିକାଶ, ଗବେଷଣା ଓ କ୍ଷେତ୍ରର ସାମଗ୍ରିକ ଉନ୍ନତି ପାଇଁ ଏମଫିନ୍ ନିରନ୍ତର କାର୍ଯ୍ୟ କରିବ। ଦିବ୍ୟଜ୍ୟୋତି ପଟ୍ଟନାୟକ ଓ ଜ୍ଞାନ ମୋହନଙ୍କ ନେତୃତ୍ୱରେ ଏହି କ୍ଷେତ୍ର ଆହୁରି ସୁଦୃଢ଼ ଓ ସ୍ଥାୟୀ ଅଭିବୃଦ୍ଧି ହାସଲ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

