Sat. Jul 4th, 2026

ନ୍ୟୁଜ ଡେକ୍ସ : ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରାରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସୁଗମ ଓ ସୁରକ୍ଷିତ ଯାତାୟାତ ସହ ଟ୍ରାଫିକ୍ ପରିଚାଳନାକୁ ସୁଦୃଢ଼ କରିବା ପାଇଁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ରଥଯାତ୍ରା ପାଇଁ ପ୍ରସ୍ତୁତ ସମଗ୍ର ପରିବହନ ଯୋଜନା, ବର୍ତ୍ତମାନର ପ୍ରସ୍ତୁତି ଓ ଆଗାମୀ କାର୍ଯ୍ୟପନ୍ଥା ନେଇ ବିସ୍ତୃତ ସମୀକ୍ଷା କରାଯାଇଥିଲା।ମନ୍ତ୍ରୀ ସମସ୍ତ ଅଧିକାରୀଙ୍କୁ ଶ୍ରଦ୍ଧାଳୁଙ୍କ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରିବା ସହ ପ୍ରଶାସନ, ପୋଲିସ ଓ ପରିବହନ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମହାପ୍ରଭୁଙ୍କ ସେବାଭାବନା ସହ ସମସ୍ତ ଦାୟିତ୍ୱକୁ ସୁଚାରୁରୂପେ ପାଳନ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।ଶ୍ରଦ୍ଧାଳୁଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ପୁରୀ ରୁଟ୍‌ରେ ଅଧିକ ବସ୍ ଚଳାଚଳ କରାଯିବ। ଅସ୍ଥାୟୀ ପରମିଟ୍ ପ୍ରଦାନ ପ୍ରକ୍ରିୟାକୁ ସରଳ ଓ ତ୍ୱରିତ କରାଯିବ। ବସ୍‌ଗୁଡ଼ିକରେ ସରକାରଙ୍କ ଧାର୍ଯ୍ୟ ଭଡ଼ା ଚାର୍ଟ ପ୍ରଦର୍ଶନ ବାଧ୍ୟତାମୂଳକ ରହିବ ଏବଂ ନିର୍ଦ୍ଧାରିତ ଭଡ଼ାଠାରୁ ଅଧିକ ଆଦାୟ କରାଯିବ ନାହିଁ। ଓଭରଲୋଡ୍ ଓ ଓଭରସ୍ପିଡ୍ ବିରୋଧରେ କଡ଼ା ଯାଞ୍ଚ କରାଯିବା ସହ ଅଟୋ ଭଡ଼ାରେ ମଧ୍ୟ ଯାତ୍ରୀଙ୍କ ଶୋଷଣ ରୋକିବାକୁ ପଦକ୍ଷେପ ନିଆଯିବ।ଚଳିତ ବର୍ଷ ପୁରୀର ସମସ୍ତ ପାର୍କିଂ ସ୍ଥଳରୁ ନିର୍ଦ୍ଧାରିତ ସ୍ଥାନ ପର୍ଯ୍ୟନ୍ତ ନିଃଶୁଳ୍କ ଅଟୋ ସେବା ଯୋଗାଇ ଦିଆଯିବ। ଏହା ସହ ମାଳତୀପାଟପୁରରୁ ନିଃଶୁଳ୍କ ସଟଲ୍ ସେବା ମଧ୍ୟ ଚାଲୁ କରାଯିବ। ତାଳବଣିଆ ଓ ମାଳତୀପାଟପୁରରେ ଅସ୍ଥାୟୀ ବିଶ୍ରାମାଗାର, ପାନୀୟ ଜଳ, ପ୍ରାଥମିକ ଚିକିତ୍ସା, ନିଃଶୁଳ୍କ ରନ୍ଧାଖାଦ୍ୟ ବିତରଣ ସହ ସମସ୍ତ ମୌଳିକ ସୁବିଧାର ବ୍ୟବସ୍ଥା କରାଯିବ।ଯାତ୍ରୀଙ୍କ ସୁବିଧା ପାଇଁ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା କରାଯିବା ସହ ପ୍ରବେଶ ଓ ପ୍ରସ୍ଥାନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବ।

ତାଳବଣିଆରେ ସୂଚନା କେନ୍ଦ୍ର ଓ ହେଲ୍ପଡେସ୍କ କାର୍ଯ୍ୟକ୍ଷମ ରହିବ ଏବଂ ଏହି ସମସ୍ତ ସୁବିଧା ସମ୍ପର୍କରେ ବ୍ୟାପକ ପ୍ରଚାର ପ୍ରସାର କରାଯିବ।ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ସଡ଼କ ସୁରକ୍ଷା ପାଇଁ ଆବଶ୍ୟକ ସ୍ଥାନରେ ରାସ୍ତା ମରାମତି, ଷ୍ଟ୍ରିଟ୍ ଲାଇଟ୍, ଲେନ୍ ମାର୍କିଂ ଓ ସାଇନେଜ୍ କାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବାକୁ ଜାତୀୟ ରାଜପଥ ପ୍ରାଧିକରଣକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ରାଜପଥରେ ଗୋରୁଗାଈ ଯୋଗୁଁ ଘଟୁଥିବା ଦୁର୍ଘଟଣା ରୋକିବା ପାଇଁ ମଧ୍ୟ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ।ଏହି ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ପୁରୀ ଜିଲ୍ଲାପାଳ, ପୁରୀ ଏସ୍‌ପି, କଟକ ଓ ଭୁବନେଶ୍ୱର ଡିସିପି, କ୍ରୁଟ୍ ଏବଂ ଜାତୀୟ ରାଜପଥ ପ୍ରାଧିକରଣର ପ୍ରତିନିଧିମାନେ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇ ରଥଯାତ୍ରା ସମୟରେ ସୁଚାରୁ ପରିବହନ ଓ ସୁରକ୍ଷା ବ୍ୟବସ୍ଥା ପାଇଁ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *