ନ୍ୟୁଜ ଡେକ୍ସ : ଦିଲ୍ଲୀରେ ଇ-ରିକ୍ସାକୁ ଦୂରରୁ ବନ୍ଦ କରିବା ପାଇଁ କିଛି ବ୍ଲୁଟୁଥ୍ ଆଧାରିତ ଆପ୍ର ଅପବ୍ୟବହାର ହେଉଥିବା ଅଭିଯୋଗ ପରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋର ଏବଂ ଆପଲ୍ ଆପ୍ ଷ୍ଟୋରରୁ ୭ଟି ଆପ୍ ହଟାଇବାକୁ ନୋଟିସ୍ ଜାରି କରିଛି। ଏହି ଆପ୍ଗୁଡ଼ିକ ମାଧ୍ୟମରେ ଇ-ରିକ୍ସାର ବ୍ୟାଟେରୀ ପରିଚାଳନା ପ୍ରଣାଳୀକୁ ବ୍ଲୁଟୁଥ୍ ଯୋଗେ ଦୂରରୁ ନିୟନ୍ତ୍ରଣ କରାଯାଇ ଚଳନ୍ତା ଗାଡ଼ିକୁ ବନ୍ଦ କରାଯାଉଥିବା ଅଭିଯୋଗ ରହିଛି।ହଟାଇବାକୁ ନିର୍ଦ୍ଦେଶ ମିଳିଥିବା ଆପ୍ମାନଙ୍କ ମଧ୍ୟରେ BAT BMS, SMART BMS, LOSSIGY ଏବଂ Epoch Li-ion ପ୍ରମୁଖ ରହିଛି।
ଏହି ଆପ୍ଗୁଡ଼ିକ ଲିଥିୟମ୍-ଆୟନ୍ ବ୍ୟାଟେରୀର ବ୍ୟାଟେରୀ ମ୍ୟାନେଜମେଣ୍ଟ ସିଷ୍ଟମ ସହ ବ୍ଲୁଟୁଥ୍ ମାଧ୍ୟମରେ ସଂଯୋଗ ସ୍ଥାପନ କରି ବ୍ୟାଟେରୀର କାର୍ଯ୍ୟକଳାପକୁ ନିରୀକ୍ଷଣ କରିବା ସହ ଦୂରରୁ ବନ୍ଦ କରିବାର ସୁବିଧା ଦେଇଥାଏ। ଅଭିଯୋଗ ଅନୁସାରେ କିଛି ଲୋକ ଏହି ବ୍ୟବସ୍ଥାର ଅପବ୍ୟବହାର କରି ଚଳନ୍ତା ଇ-ରିକ୍ସାକୁ ଅଚଳ କରୁଥିଲେ। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ବ୍ୟାଟେରୀ ଚାଳିତ ଯାନର ବ୍ୟବସ୍ଥାରେ ଦୂରରୁ ହସ୍ତକ୍ଷେପ କରିବାକୁ ସହଜ କରୁଥିବା କୌଣସି ଆପ୍ କିମ୍ବା ପ୍ରଯୁକ୍ତି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଏହି ମାମଲା ସରକାରଙ୍କ ଦୃଷ୍ଟିକୁ ଆସିବା ପରେ ପୂର୍ବରୁ ଦୁଇଟି ଆପ୍ ଷ୍ଟୋରରୁ ହଟାଯାଇଥିବା ବେଳେ ବର୍ତ୍ତମାନ ଅନ୍ୟାନ୍ୟ ଆପ୍ ବିରୋଧରେ ମଧ୍ୟ ପଦକ୍ଷେପ ନିଆଯାଇଛି।
ଅଧିକାରୀମାନଙ୍କ କହିବା ଅନୁଯାୟୀ, ବ୍ୟାଟେରୀ ମ୍ୟାନେଜମେଣ୍ଟ ସିଷ୍ଟମ ବ୍ୟାଟେରୀର ଭୋଲଟେଜ୍, କରେଣ୍ଟ, ଚାର୍ଜିଂ ସ୍ଥିତି ଓ ତାପମାତ୍ରା ଭଳି ତଥ୍ୟ ନିରୀକ୍ଷଣ ପାଇଁ ତିଆରି ହୋଇଥାଏ। କିନ୍ତୁ ସୁରକ୍ଷା ବ୍ୟବସ୍ଥା ଦୁର୍ବଳ ଥିଲେ ସେହି ଇଣ୍ଟରଫେସ୍କୁ ବ୍ୟବହାର କରି ବ୍ୟାଟେରୀର ପାୱାର ଆଉଟପୁଟ୍ ନିୟନ୍ତ୍ରଣ କିମ୍ବା ଡିସଚାର୍ଜକୁ ଦୂରରୁ ବନ୍ଦ କରାଯାଇପାରେ।ଏହି ଘଟଣା ପରେ ଇ-ରିକ୍ସା ଚାଳକମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଥିବା ବେଳେ ସରକାର ଆପ୍ ପ୍ଲାଟଫର୍ମଗୁଡ଼ିକ ସହ ସମନ୍ୱୟ କରି ଏଭଳି ସମ୍ଭାବ୍ୟ କ୍ଷତିକାରକ ଆପ୍ ସାଧାରଣ ବ୍ୟବହାର ପାଇଁ ଉପଲବ୍ଧ ନ ରହିବାକୁ ପଦକ୍ଷେପ ନେଉଛନ୍ତି।

