ନ୍ୟୁଜ ଡେକ୍ସ : ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧବିରତି ରାଜିନାମା କାର୍ଯ୍ୟକାରୀ ହେବା ପରେ ବିଶ୍ୱ ବଜାରରେ ଏଲଏନଜି ଯୋଗାଣ ପରିସ୍ଥିତିରେ ସୁଧାର ଆସିଛି। ବିଶେଷକରି ହର୍ମୁଜ ପ୍ରଣାଳୀ ଦେଇ ତରଳୀକୃତ ପ୍ରାକୃତିକ ଗ୍ୟାସ ପରିବହନ ସ୍ୱାଭାବିକ ହେବା ପରେ ଭାରତ ସରକାର ପ୍ରାକୃତିକ ଗ୍ୟାସ ଯୋଗାଣ ଉପରେ ଲାଗୁ କରାଯାଇଥିବା ଜରୁରୀକାଳୀନ କଟକଣାକୁ ପ୍ରତ୍ୟାହାର କରିଛନ୍ତି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେବା ପରେ କେନ୍ଦ୍ର ସରକାର ଚଳିତବର୍ଷ ମାର୍ଚ୍ଚ ମାସରେ ଜରୁରୀକାଳୀନ ବ୍ୟବସ୍ଥା ଗ୍ରହଣ କରିଥିଲେ। ସେତେବେଳେ ଦେଶରେ ଘରୋଇ ଏଲପିଜି ଯୋଗାଣରେ କୌଣସି ପ୍ରଭାବ ନ ପଡ଼ିବା ସହ ପ୍ରାଥମିକତା ଥିବା କ୍ଷେତ୍ରଗୁଡ଼ିକୁ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ ଯୋଗାଇବା ପାଇଁ ସରକାର ଜରୁରୀକାଳୀନ ଅଧିକାର ବ୍ୟବହାର କରିଥିଲେ।ସେହି ବ୍ୟବସ୍ଥା ଅନୁଯାୟୀ, ପାଇପ୍ଡ ନ୍ୟାଚୁରାଲ ଗ୍ୟାସ (ପିଏନଜି), କମ୍ପ୍ରେସ୍ଡ ନ୍ୟାଚୁରାଲ ଗ୍ୟାସ (ସିଏନଜି), ଘରୋଇ ଏଲପିଜି ଉତ୍ପାଦନ ଏବଂ ଗ୍ୟାସ ପାଇପଲାଇନ ପରିଚାଳନା ପାଇଁ ଆବଶ୍ୟକ ଶତପ୍ରତିଶତ ଗ୍ୟାସ ଯୋଗାଣ ସୁନିଶ୍ଚିତ କରାଯାଇଥିଲା। ଅନ୍ୟପଟେ ସାର କମ୍ପାନିଗୁଡ଼ିକୁ ସେମାନଙ୍କ ଆବଶ୍ୟକତାର ପ୍ରାୟ ୭୦ ପ୍ରତିଶତ ଏବଂ ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ ନେଟୱର୍କ ସହ ଅନ୍ୟ କାରଖାନାଗୁଡ଼ିକୁ ପ୍ରାୟ ୮୦ ପ୍ରତିଶତ ଗ୍ୟାସ ଯୋଗାଣ କରାଯାଇଥିଲା।ଏହି ଜରୁରୀକାଳୀନ ବ୍ୟବସ୍ଥା ଲାଗୁ ହେବା ଫଳରେ ପେଟ୍ରୋରସାୟନ କମ୍ପାନି, ଗ୍ୟାସ ଆଧାରିତ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଏବଂ କିଛି ବିଶୋଧନାଗାରକୁ ଗ୍ୟାସ ଯୋଗାଣ ସାମୟିକ ଭାବେ ହ୍ରାସ କରାଯାଇଥିଲା।
ଏହା ମାଧ୍ୟମରେ ଘରୋଇ ଓ ଅତ୍ୟାବଶ୍ୟକ କ୍ଷେତ୍ରରେ ଗ୍ୟାସ ଅଭାବ ନହେବାକୁ ସରକାର ଗୁରୁତ୍ୱ ଦେଇଥିଲେ।ଉଲ୍ଲେଖଯୋଗ୍ୟ ଯେ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସମୟରେ କେତେକ ଅନ୍ତର୍ଜାତୀୟ ଗ୍ୟାସ ଯୋଗାଣକାରୀ ସଂସ୍ଥା ଯୋଗାଣ ବନ୍ଦ କରିଦେଇଥିଲେ। ଏହା ଫଳରେ ଭାରତରେ ପ୍ରାକୃତିକ ଗ୍ୟାସ ଉପଲବ୍ଧତା ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଥିଲା। ସେହି ପରିସ୍ଥିତିକୁ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଚଳିତବର୍ଷ ମାର୍ଚ୍ଚ ମାସରେ ପ୍ରାକୃତିକ ଗ୍ୟାସ ନିର୍ଦ୍ଦେଶନାମା–୨୦୨୬ ଲାଗୁ କରିଥିଲେ।ବର୍ତ୍ତମାନ ଅନ୍ତର୍ଜାତୀୟ ପରିସ୍ଥିତିରେ ସୁଧାର ଆସିବା ସହ ଏଲଏନଜି ଯୋଗାଣ ସ୍ୱାଭାବିକ ହୋଇଥିବାରୁ କେନ୍ଦ୍ର ସରକାର ପୂର୍ବରୁ ଲାଗୁ ହୋଇଥିବା ସମସ୍ତ ଜରୁରୀକାଳୀନ କଟକଣା ଓ ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି। ଏହା ଫଳରେ ବିଭିନ୍ନ ଶିଳ୍ପ କ୍ଷେତ୍ରକୁ ପୁଣିଥରେ ସାଧାରଣ ନିୟମ ଅନୁଯାୟୀ ପ୍ରାକୃତିକ ଗ୍ୟାସ ଯୋଗାଣ କରାଯିବ ଏବଂ ଶିଳ୍ପ କାର୍ଯ୍ୟକଳାପରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିବ ବୋଲି ଆଶା କରାଯାଉଛି।

