Tue. Jul 7th, 2026

ନ୍ୟୁଜ ଡେକ୍ସ : ଲଘୁଚାପ ପ୍ରଭାବରେ ସମଗ୍ର ଓଡ଼ିଶାରେ ଗତ ପାଞ୍ଚ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଅନେକ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ସହ ବିଭିନ୍ନ ନଦୀ ଓ ନାଳର ଜଳସ୍ତର ବଢ଼ିବାରେ ଲାଗିଛି। ଏହାର ପ୍ରଭାବରେ ବହୁ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ବଲାଙ୍ଗୀର ଜିଲ୍ଲାର ସଇଁତଳା ଅଞ୍ଚଳରୁ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି।

ଲାନ୍ଥ ନଦୀରେ ହଠାତ୍ ବନ୍ୟାଜଳ ବଢ଼ିଯିବାରୁ ଦୁଇ ଜଣ ଗୋରୁ ଚରାଳି ଓ ପ୍ରାୟ ୩୦ଟି ଗୋରୁ, ମେଣ୍ଢା ଏବଂ ଛେଳି ନଦୀ ମଝିରେ ଫସି ଯାଇଥିଲେ।ସୂଚନା ଅନୁଯାୟୀ, ସଇଁତଳା ବ୍ଲକର ଡୁଙ୍ଗୁରିପାଲି ପଞ୍ଚାୟତ ଅନ୍ତର୍ଗତ ଟୁର୍ଚ୍ଚା ଗାଁର ଦୁଇ ଜଣ ଯୁବକ ଗତକାଲି ସକାଳେ ପ୍ରାୟ ୩୦ରୁ ଅଧିକ ଗୋରୁ ନେଇ ଲାନ୍ଥ ନଦୀର କୁଦକୁ ଚରାଇବା ପାଇଁ ଯାଇଥିଲେ। ସେତେବେଳେ ନଦୀରେ ପାଣି କମ୍ ଥିବାରୁ ସେମାନେ ସହଜରେ ନଦୀ ପାର ହୋଇ କୁଦରେ ପହଞ୍ଚିଥିଲେ। କିନ୍ତୁ ଦିନ ବଢ଼ିବା ସହ ବର୍ଷାର ପ୍ରଭାବରେ ନଦୀର ଜଳସ୍ତର ଦ୍ରୁତ ଗତିରେ ବଢ଼ିବା ଆରମ୍ଭ କରିଥିଲା।ଅପରାହ୍ଣ ସୁଦ୍ଧା ନଦୀରେ ପ୍ରାୟ ଚାରି ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଥିଲା ଏବଂ ଉଭୟ ପାର୍ଶ୍ୱରେ ବନ୍ୟାଜଳ ବ୍ୟାପି ଯାଇଥିଲା। ଫଳରେ ଦୁଇ ଗୋରୁ ଚରାଳି ଓ ସେମାନଙ୍କ ସହ ଥିବା ପଶୁପାଳ ନଦୀ ମଝିରେ ଅଟକି ଯାଇଥିଲେ। ନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ୁଥିବାରୁ ସେମାନେ ନଦୀ ପାର ହୋଇ ଫେରିବାକୁ ସମର୍ଥ ହୋଇନଥିଲେ। ଦୀର୍ଘ ସମୟ ଧରି ସେମାନେ ନଦୀ ମଝିରେ ଫସି ରହିବା ସହ ମଧ୍ୟାହ୍ନ ଭୋଜନ ମଧ୍ୟ କରିପାରିନଥିଲେ।

ଏହି ଘଟଣା ସମ୍ପର୍କରେ ପରିବାର ଲୋକେ ସୂଚନା ପାଇବା ପରେ ସେମାନଙ୍କ ଚିନ୍ତା ବଢ଼ିଯାଇଥିଲା। ତୁରନ୍ତ ସଇଁତଳା ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ସୂଚନା ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ପ୍ରାୟ ଆଠ ଘଣ୍ଟାର କଠିନ ଉଦ୍ୟମ ପରେ ଦୁଇ ଜଣ ଗୋରୁ ଚରାଳିଙ୍କ ସହ ସେମାନଙ୍କ ଗୋରୁ, ମେଣ୍ଢା ଓ ଛେଳିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଏହାପରେ ପରିବାର ଲୋକେ ଆଶ୍ୱସ୍ତ ହୋଇଥିଲେ।

ଅନ୍ୟପଟେ, ଏହି ବନ୍ୟା ସ୍ରୋତରେ କାନ୍ଦୁଲସର ଗାଁ ନିକଟରେ ବାଲି ପରିବହନରେ ବ୍ୟବହୃତ ଏକ ଜେସିବି ଗାଡ଼ି ଭାସିଯାଇଥିବା ସୂଚନା ମଧ୍ୟ ମିଳିଛି। ଲଗାଣ ବର୍ଷା ଓ ନଦୀରେ ହଠାତ୍ ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀକୂଳବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବା ପାଇଁ ପ୍ରଶାସନ ପରାମର୍ଶ ଦେଇଛି। ବର୍ଷା ଜାରି ରହିଥିବାରୁ ଆଗାମୀ ଦିନରେ ମଧ୍ୟ ନଦୀ ଓ ଜଳାଶୟ ନିକଟକୁ ଅନାବଶ୍ୟକ ଯିବା ନାହିଁ ବୋଲି ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି।

Leave a Reply

Your email address will not be published. Required fields are marked *