Tue. Jul 7th, 2026

ନ୍ୟୁଜ ଡେକ୍ସ : ପ୍ରତିରକ୍ଷା ଓ ରଣନୀତିକ ସହଯୋଗ କ୍ଷେତ୍ରରେ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଏକ ନୂଆ ଅଧ୍ୟାୟର ସୂଚନା ମିଳିଛି। ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ‘ବ୍ରହ୍ମୋସ’କୁ ନେଇ ଦୁଇ ଦେଶ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି।ମଙ୍ଗଳବାର ସକାଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଭୋ ସୁବିଆନ୍ତୋଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।

ଏହାକୁ ଭାରତ-ଇଣ୍ଡୋନେସିଆ ସମ୍ପର୍କରେ ଏକ ବଡ଼ ସଫଳତା ବୋଲି କୁହାଯାଉଛି।ଦୁଇ ଦିନିଆ ସରକାରୀ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ଇଣ୍ଡୋନେସିଆର ରାଜଧାନୀ ଜାକାର୍ତ୍ତାରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ବିମାନବନ୍ଦରରେ ରାଷ୍ଟ୍ରପତି ପ୍ରବୋଭୋ ସୁବିଆନ୍ତୋ ନିଜେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଲିଙ୍ଗନ କରି ସ୍ୱାଗତ ଜଣାଇଥିଲେ।ଏହାପରେ ଦୁଇ ଦେଶର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ପ୍ରତିରକ୍ଷା, ବାଣିଜ୍ୟ, ସାମୁଦ୍ରିକ ସୁରକ୍ଷା ଓ ରଣନୀତିକ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ରାଜିନାମାକୁ ଚୂଡ଼ାନ୍ତ ରୂପ ଦିଆଯାଇଥିଲା।ବିଶେଷକରି ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ସମ୍ପର୍କିତ ଚୁକ୍ତିକୁ ଭାରତର ପ୍ରତିରକ୍ଷା ରପ୍ତାନି କ୍ଷେତ୍ରରେ ଏକ ବଡ଼ ସଫଳତା ଭାବେ ଦେଖାଯାଉଛି। ଏହି ଚୁକ୍ତି ଦୁଇ ଦେଶ ମଧ୍ୟରେ ସାମରିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ସହ ଇଣ୍ଡୋ-ପାସିଫିକ୍ ଅଞ୍ଚଳରେ ସାମୁଦ୍ରିକ ସୁରକ୍ଷା ଓ ରଣନୀତିକ ଭାଗୀଦାରିକୁ ମଜବୁତ କରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *