ନ୍ୟୁଜ ଡେକ୍ସ : ମହାରାଷ୍ଟ୍ରର ମୁମ୍ବାଇରେ ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ସୋମବାର ଦିନତମାମ ପ୍ରବଳ ବର୍ଷା ପରେ ମଙ୍ଗଳବାର ସକାଳୁ ଆକାଶ ମେଘାଚ୍ଛନ୍ନ ରହିବା ସହ ପ୍ରବଳ ପବନ ବହୁଥିବା ବେଳେ ବର୍ଷାର ପରିମାଣ ସାମାନ୍ୟ କମିଛି। ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସହର ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।ଆଗାମୀ ଦିନରେ ଆହୁରି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ମୁମ୍ବାଇର ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି।
କ୍ରମାଗତ ବର୍ଷା ଯୋଗୁଁ ମୁମ୍ବାଇ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଯାତାୟାତ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅନେକ ରାସ୍ତା ଜଳମଗ୍ନ ହୋଇଥିବା ବେଳେ ଗଛ ଉପୁଡ଼ି ପଡ଼ିବା, କାନ୍ଥ ଭୁଶୁଡ଼ିବା ଏବଂ ବିଜ୍ଞାପନ ବୋର୍ଡ ଭାଙ୍ଗି ପଡ଼ିବା ଭଳି ଘଟଣା ସାମ୍ନାକୁ ଆସିଛି।ପାଣିପାଗ ବିଭାଗ କହିଛି, ଅରେଞ୍ଜ ଆଲର୍ଟ ପ୍ରତିକୂଳ ପାଣିପାଗର ସୂଚନା ଦେଉଥିବାରୁ ପରିବହନ ଏବଂ ବିଦ୍ୟୁତ ସେବା ମଧ୍ୟ ବ୍ୟାହତ ହେବାର ଆଶଙ୍କା ରହିଛି। ତେଣୁ ଲୋକମାନଙ୍କୁ ଅତ୍ୟାବଶ୍ୟକ କାମ ନଥିଲେ ଘରୁ ବାହାରକୁ ନଆସିବା ପାଇଁ ପରାମର୍ଶ ଦିଆଯାଇଛି।ଅନ୍ୟପକ୍ଷରେ, ମୁମ୍ବାଇ-ପୁଣେ ଏକ୍ସପ୍ରେସୱେର ମିସିଂ ଲିଙ୍କ ବାଇପାସର ଟନେଲ-୨ ନିକଟରେ ଭୂସ୍ଖଳନ ଯୋଗୁଁ ପ୍ରାୟ ୧୮ ଘଣ୍ଟା ଧରି ଯାତାୟାତ ବନ୍ଦ ରହିଥିଲା।
ପରେ ସୁରକ୍ଷା ଯାଞ୍ଚ ଶେଷ ହେବା ପରେ ମହାରାଷ୍ଟ୍ର ସଡ଼କ ବିକାଶ ନିଗମ ପକ୍ଷରୁ ମୁମ୍ବାଇ ଅଭିମୁଖୀ ରାସ୍ତାକୁ ପୁନର୍ବାର ଖୋଲାଯାଇଛି।ପ୍ରବଳ ବର୍ଷା ଯୋଗୁଁ ପୁଣେ ଜିଲ୍ଲାରେ ଭୂସ୍ଖଳନ ଏବଂ କାନ୍ଥ ଭୁଶୁଡ଼ିବା ଘଟଣାରେ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ସମେତ ମୋଟ ୪ ଜଣଙ୍କ ମୃତ୍ୟୁ ହୋଇଛି। ଏହାଛଡ଼ା ଦୁଇଟି ପୃଥକ ଘଟଣାରେ ଦୁଇ ଜଣ ବ୍ୟକ୍ତି ପାଣି ସ୍ରୋତରେ ଭାସି ନିଖୋଜ ହୋଇଥିବା ସୂଚନା ମିଳିଛି। ବନ୍ୟା ଓ ଭୂସ୍ଖଳନ ପରିସ୍ଥିତି ମଧ୍ୟରେ ପ୍ରଶାସନ ପକ୍ଷରୁ ୫୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

