ନ୍ୟୁଜ ଡେକ୍ସ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପୁଣି ଥରେ ଯୁଦ୍ଧର ଆଶଙ୍କା ଘନୀଭୂତ ହୋଇଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ ପକ୍ଷରୁ ଜାରି ଏକ ସରକାରୀ ବିବୃତ୍ତି ଅନୁସାରେ, ଆମେରିକୀୟ ସେନା ଇରାନର ସାମରିକ ଘାଟି ଉପରେ ବ୍ୟାପକ ଆକ୍ରମଣ କରିଛି। ଆମେରିକା କହିଛି, ଅନ୍ତର୍ଜାତୀୟ ଜଳସୀମାରେ ବାଣିଜ୍ୟିକ ଜାହାଜ ଓ ତୈଳ ଟ୍ୟାଙ୍କର ଉପରେ ହୋଇଥିବା ଆକ୍ରମଣର ଜବାବ ସ୍ୱରୂପ ଏହି ସାମରିକ କାର୍ଯ୍ୟାନୁଷ୍ଠାନ କରାଯାଇଛି।
ଆମେରିକାର ଅଭିଯୋଗ ଅନୁଯାୟୀ, ଇରାନ ହରମୁଜ୍ ପ୍ରଣାଳୀରେ ତିନୋଟି ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରି ଗତ ମାସର ଅସ୍ତ୍ରବିରତି ଚୁକ୍ତିକୁ ଉଲ୍ଲଂଘନ କରିଛି। ଏହାକୁ ଆମେରିକା ଅନାବଶ୍ୟକ ଏବଂ ବିପଦପୂର୍ଣ୍ଣ ପଦକ୍ଷେପ ବୋଲି ବର୍ଣ୍ଣନା କରିଛି।ଆମେରିକୀୟ ପ୍ରତିରକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ଆକ୍ରମଣରେ ଇରାନର ବାୟୁ ପ୍ରତିରକ୍ଷା ପ୍ରଣାଳୀ, ଉପକୂଳବର୍ତ୍ତୀ ନିରୀକ୍ଷଣ ବ୍ୟବସ୍ଥା, ଭୂପୃଷ୍ଠରୁ ଆକାଶ କ୍ଷେପଣାସ୍ତ୍ର, ଜାହାଜ ପ୍ରତିରୋଧୀ କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଲଞ୍ଚ ପ୍ୟାଡ୍କୁ ଟାର୍ଗେଟ କରାଯାଇଛି।
ଦକ୍ଷିଣ ଇରାନର ସିରିକ୍ ଓ ବନ୍ଦର ଆବାସ ଭଳି ପ୍ରମୁଖ ବନ୍ଦର ସହରରେ ପ୍ରବଳ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି।ଅନ୍ୟପଟେ, ଇରାନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରି କହିଛି ଯେ ଦେଶର ଜାତୀୟ ସ୍ୱାର୍ଥ ଓ ସୁରକ୍ଷାର ସୁରକ୍ଷା ପାଇଁ ଆବଶ୍ୟକ ହେଲେ ସମସ୍ତ ପଦକ୍ଷେପ ନିଆଯିବ। ଏହାସହ ଆମେରିକା ମଧ୍ୟ ଚୁକ୍ତି ଉଲ୍ଲଂଘନର ପରିଣାମ ନେଇ କଡ଼ା ଚେତାବନୀ ଜାରି କରିଛି।ଉଭୟ ଦେଶର ପଦକ୍ଷେପ ପରେ ମଧ୍ୟପ୍ରାଚ୍ୟର ସୁରକ୍ଷା ପରିସ୍ଥିତି ଅଧିକ ସଙ୍କଟଜନକ ହୋଇପଡ଼ିଛି ଏବଂ ବିଶ୍ୱ ସମୁଦାୟର ନଜର ଏବେ ଏହି ଅଞ୍ଚଳ ଉପରେ ରହିଛି।

