ନ୍ୟୁଜ ଡେକ୍ସ: ଭିଜିଲାନ୍ସ ଜାଲରେ ଓଡ଼ିଶା ପୁଲିସ୍ ହାଉସିଂ ୱେଲଫେୟାର କର୍ପୋରେସନ୍ ବ୍ରହ୍ମପୁର ଡିଭିଜନ୍ ଡିଜିଏମ୍ ସୁବାସ ଚନ୍ଦ୍ର ପଣ୍ଡା। ଆଜି ସକାଳେ ତାଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଆରମ୍ଭ କରିଥିଲା। ତାଙ୍କ ଘର ସମେତ ଚାରିଟି ସ୍ଥାନରେ ଚାଲିଛି ଚଢ଼ାଉ।
ଭୁବନେଶ୍ବରରେ ସୁବାସ ଚନ୍ଦ୍ର ପଣ୍ଡାଙ୍କର ୪ଟି ବହୁମୂଲ୍ୟ ପ୍ଲଟ୍, ବରିମୁଣ୍ଡରେ ଏକ ଦୁଇମହଲା କୋଠା, ଆଇଗଣିଆରେ ତିନିମହଲା କୋଠା, ନଗଦ ୧୩ ଲକ୍ଷ ଟଙ୍କା, ଏକ କେଜି ସୁନା, ଗୋଟିଏ କ୍ରେଟା କାର୍ ଓ ଅନ୍ୟ ବେନାମୀ କାର୍ ଠାବ ହୋଇଛି। ଏହାଛଡ଼ା ଏକ କୋଟି ଟଙ୍କାର ଫିକ୍ସଡ ଡିପୋଜିଟ୍ ବି ଠାବ ହୋଇଛି। ଭୁବନେଶ୍ଵର ଏବଂ ବ୍ରହ୍ମପୁର ସମେତ ୪ଟି ସ୍ଥାନରେ ଭିଜିଲାନ୍ସର ଏକାଧିକ ଟିମ ଏକକାଳୀନ ଚଢ଼ାଉ କରୁଛନ୍ତି। ଭୁବନେଶ୍ଵରସ୍ଥିତ ତାଙ୍କ ବାସଭବନ ଏବଂ ପୈତୃକ ଘରେ ଚଢ଼ାଉ କରାଯାଉଛି।
ସୁବାଷଙ୍କ ଭୁବନେଶ୍ୱର ଆଇଗିଣିଆରେ ଥିବା ଘର , ମଞ୍ଚେଶ୍ୱର ଥିବା ଘର, ବ୍ରହ୍ମପୁର ଖାରବେଳ ନଗରରେ ଥିବା ଭଡ଼ା ଘର ଓ ବ୍ରହ୍ମପୁର ଅଫିସରେ ଚଢ଼ାଉ କରିଛି ଭିଜିଲାନ୍ସ। ସୁବାଷ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳୁ ତାଙ୍କ ଘରେ ଚଢ଼ାଉ କରିଛି। ଏହି ଚଢ଼ାଉରେ ୫ ଜଣ ଡିଏପି, ୭ ଜଣ ଇନ୍ସପେକ୍ଟର ଓ ଅନ୍ୟ ଭିଜିଲାନ୍ସ କର୍ମକାରୀ ସାମିଲ ହୋଇଛନ୍ତି।