ନ୍ୟୁଜ ଡେକ୍ସ: ମହାରାଷ୍ଟ୍ର ରାଜନୀତିର ସବୁ ସସପେନ୍ସରେ ଲାଗିଛି ବିରାମ। ଶେଷରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ରାଜି ହୋଇଛନ୍ତି ଶିବସେନା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ଫଡନାଭିସ୍ ସରକାରଙ୍କ ଶପଥ ଗ୍ରହଣ ଉତ୍ସବର କିଛି ସମୟ ପୂର୍ବରୁ ଶିବସେନା ନେତା ଉଦୟ ସାମନ୍ତ ଗଣମାଧ୍ୟମକୁ ଏନେଇ ସ୍ପଷ୍ଟ କରିଛନ୍ତି।
ଏନେଇ ଶିବସେନା ନେତା ଉଦୟ ସାମନ୍ତ ସୂଚନା ଦେଇଛନ୍ତି । ଦୁଇ ସପ୍ତାହ ଧରି ଚାଲିଥିବା ଚର୍ଚ୍ଚା ଉପରେ ବିରାମ ଟାଣିଛନ୍ତି ସାମନ୍ତ । ଗତକାଲି (ବୁଧବାର) ସନ୍ଧ୍ୟାରେ ସୂଚନା ମିଳିଥିଲା ଯେ, ଏକନାଥ ସିନ୍ଦେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭବାରେ ଶପଥ ନେଇପାରନ୍ତି । ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଅଜିତ ପାଓ୍ବାର ସ୍ପଷ୍ଟ କରିଥିଲେ ସେ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାକୁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ସିନ୍ଦେ ଏନେଇ କୌଣସି ପ୍ରତିକ୍ରିୟା ଦେଇନଥିଲେ । ହେଲେ ବର୍ତ୍ତମାନ ଶିବସେନା ନେତା ସିନ୍ଦେଙ୍କ ଶପଥ ଗ୍ରହଣ ନେଇ ସ୍ପଷ୍ଟ କରିଦେଇଛନ୍ତି । ଶିବସେନା ନେତା ସଂଜୟ ଶୀରସାତ କହିଛନ୍ତି ଯେ, ‘ଏକନାଥ ସିନ୍ଦେ ଆମର ଅନୁରୋଧ ରକ୍ଷା କରି ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାକୁ ରାଜି ହୋଇଯାଇଛନ୍ତି ।
ଆମେ ମଧ୍ୟ ଚାହୁଁଛୁ ସେ ଶପଥ ଗ୍ରହଣ କରନ୍ତୁ ।’ ସେପଟେ ଆଉ ବଡ଼ ଖବର ସାମ୍ନାକୁ ଆସିଛି । ଶପଥ ନେବା ପରେ ପରେ ଏକନାଥ ସିନ୍ଦେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିପାରନ୍ତି । ଏହି ସମୟରେ ଏକନାଥ ସିନ୍ଦେ ପୁଣି ଥରେ ଗୃହ ମନ୍ତ୍ରାଳୟ ଲାଗି ଦାବି କରିପାରନ୍ତି । ଯଦି ଗୃହ ମନ୍ତ୍ରାଳୟ ନମିଳେ ତେବେ ତାଙ୍କୁ ସହରୀ ବିକାଶ କିମ୍ବା ଅନ୍ୟ ଶକ୍ତିଶାଳୀ ମନ୍ତ୍ରାଳୟ ମିଳିପାରେ ।