ନ୍ୟୁଜ ଡେକ୍ସ: ଏଣିକି କେବଳ ଶୀତ ଦିନେ ନୁହେଁ, ବର୍ଷ ସାରା ପାଳନ ହେବ ପଥୋତ୍ସବ । ରାଜଧାନୀ ରାଜରାସ୍ତା, ଗଳି କନ୍ଦିରେ ସବୁଠି ସକାଳୁ ସକାଳୁ ଝୁମିବେ ଲୋକେ । ପଥୋତ୍ସବ ନେଇ ବଡ ଘୋଷଣା କରିଛନ୍ତି ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ବର୍ଷକୁ ୧୨ଟି ଅର୍ଥାତ୍ ପ୍ରତି ମାସରେ ଗୋଟିଏ ଗୋଟିଏ ପଥୋତ୍ସବ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ଏତିସହିତ ଶୀତ ଦିନ ଆସିଲେ ପ୍ରତି ସପ୍ତାହରେ ପଥୋତ୍ସବ କରାଯିବ । ଏନେଇ ବିଭାଗ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବ ବୋଲି କହିଛନ୍ତି ମନ୍ତ୍ରୀ । ଜାଗମରା ନୂଆ ରୋଡରେ ଅନୁଷ୍ଠିତ ପଥ ଉତ୍ସବରେ ଉତ୍ସାହ ସହ ସାମିଲ ହୋଇଛନ୍ତି ରାଜଧାନୀ ବାସିନ୍ଦା । ଏଠାରେ ଲାଗିଥିବା ବିଭିନ୍ନ ଷ୍ଟେଜ ସାମ୍ନାରେ ଭିଡ଼ ଦେଖିବାକୁ ମିଳିଛି । ପିଲାଙ୍କ ପାଇଁ ସ୍ୱତନ୍ତ୍ର ଗେମ୍ ଜୋନ ଓ ବିଭିନ୍ନ ଆକ୍ଟିଭିଟି ଯେପରିକି ଟାଲେଣ୍ଟ ହଣ୍ଟ, ପେଣ୍ଟିଂ, କ୍ରାଫ୍ଟ, ବ୍ୟବସ୍ଥା କରାଯାଇଛି । ଏହା ଛଡ଼ା ଜୋକର୍, ଷଣ୍ଢ, ବାଘ ନୃତ୍ୟ ଓ ଶଙ୍ଖ ଫୁଙ୍କା ସହ ପାରମ୍ପରିକ ଢୋଲ ବାଦ୍ୟ ସମସ୍ତଙ୍କୁ ଆକର୍ଷିତ କରିଛି । ମୁଖ୍ୟ ଷ୍ଟେଜ୍ରେ କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନ ଓ ଅସୀମା ପଣ୍ଡାଙ୍କ ଗୀତରେ ଝୁମିଥିଲେ ରାଜଧାନୀ ବାସୀ । ଶୀତୁଆ ସକାଳକୁ ଗୀତର ନାଚର ଗରମ ଲୋକଙ୍କୁ ବେଶ ଉତ୍ସାହିତ କରିଛି । ତେବେ ପଥୋତ୍ସବ ବା ପଥ ଉତ୍ସବ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଆୟୋଜିତ ହେଉଥିବା ଏକ ରାସ୍ତା ମହୋତ୍ସବ ।
ଯାହା କେବଳ ଭୁବନେଶ୍ବର ନୁହେଁ କଟକ ରାସ୍ତାରେ ମଧ୍ୟ ଆୟୋଜିତ ହୋଇଥାଏ । ଯେଉଁଥିରେ ଓଡ଼ିଶାର ସଂସ୍କୃତି ଏବଂ ବିଭିନ୍ନ ସମ୍ପ୍ରଦାୟକୁ ପାଳନ କରନ୍ତି ଟ୍ବିନ୍ ସିଟିବାସୀ ।ଶୀତଦିନେ ସାଂସ୍କୃତିକ ଏବଂ ଅନ୍ୟାନ୍ୟ କାର୍ଯ୍ୟ ଆୟୋଜିତ କରି ଏଥିରେ ଅଂଶଗ୍ରହଣ କରିବାକୁ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ବିଏମସି ୨୦୧୬ରୁ ଏଭଳି କିଛି ପଦକ୍ଷେପ ଆୟୋଜନ କରିଆସୁଛି । ଯାହାର ପ୍ରତି ବର୍ଷ ଶୀତ ଦିନ ଆୟୋଜିତ ହୋଇଥାଏ ।
