Fri. Apr 17th, 2026

ନ୍ୟୁଜ ଡେକ୍ସ: ଶିମିଳିପାଳ ଅଭୟାରଣ୍ୟ ଭିତରେ ଚାଲିଛି ବେଆଇନ୍ ଅଫିମ ଚାଷ । ଏ ନେଇ ମୟୂରଭଞ୍ଜ ଏସ୍ପିଙ୍କ ଠାରେ ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ଉପ ନିର୍ଦ୍ଦେଶକ ସାଇକିରନ୍ ଡି.ଏନ.ଙ୍କ ଅଭିଯୋଗ ପରେ ଆକ୍ସନ ମୋଡରେ ଯଶିପୁର ପୋଲିସ । ଉକ୍ତ ସ୍ଥାନରେ ଚଢାଉ କରି ଅଫିମ ଚାଷକୁ ନଷ୍ଟ କରାଯାଇଛି । ନଷ୍ଟ କରାଯାଇଥିବା ଅଫିମ ଗଛର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

ସୂଚନା ମୁତାବକ, ଶିମିଳିପାଳ ଅଭୟାରଣ୍ୟ ଭିତରେ ବେଆଇନ୍ ଅଫିମ ଚାଷ ହେଉଥିବା ନେଇ ମୟୂରଭଞ୍ଜ ଏସ୍‌ପିଙ୍କ ଠାରେ ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ଉପ ନିର୍ଦ୍ଦେଶକ ସାଇକିରନ୍ ଡି.ଏନ.ଙ୍କ ଅଭିଯୋଗ କରିଥିଲେ। ଅଭିଯୋଗ ପରେ କରଞ୍ଜିଆ ଏସ୍‌ଡିପିଓଙ୍କ ନେତୃତ୍ୱରେ ଯଶିପୁର ପୋଲିସ, ଅବକାରୀ ବିଭାଗ, ବନବିଭାଗ ଓ ରାଜସ୍ବ ବିଭାଗ ଦ୍ଵାରା ଗୁରୁବାର ବିଳମ୍ୱିତ ରାତି ପର୍ଯ୍ୟନ୍ତ ମିଳିତ ଚଢ଼ାଉ କରାଯାଇଛି । ଏହି ଚଢାଉ ବେଳେ ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ବରେହିପାଣି ଗ୍ରାମ ପଞ୍ଚାୟତର ବନ୍ଦିରାବସା ଓ ଅସନବଣୀ ଠାରେ ପାଖାପାଖି ଦେଢ଼ ଏକର ଜମିରେ ହୋଇଥିବା ଅଫିମ ଚାଷକୁ ନଷ୍ଟ କରାଯାଇଛି । ନଷ୍ଟ କରାଯାଇଥିବା ଅଫିମ ଗଛର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

ସେହିପରି ବୁଧବାର ଏବଂ ଗୁରୁବାର ଲଗାତାର ଭାବରେ ଦୁଇ ଦିନ ୪ ଟି ବିଭାଗ ମିଳିତ ଭାବରେ ରେଡ଼ କରି ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଅଫିମ ଗଛ ଜବତ କରିବା ସହିତ ଅଫିମ ଗଛକୁ ନଷ୍ଟ କରିଥିଲେ। ବୁଧବାର ଦିନ ରେଡ଼ରେ ୪୨ ଲକ୍ଷ ଟଙ୍କାର ଅଫିମ ଗଛ ନଷ୍ଟ କରାଯାଇଛି। ପୋଲିସ, ଅବକାରୀ ବିଭାଗ, ରାଜସ୍ୱ ବିଭାଗ, ବନବିଭାଗ ମିଳିତ ଭାବେ ଶିମିଳିପାଳ ଅଭୟାରଣ୍ୟର ୬ଟି ସ୍ଥାନରେ ଚଢ଼ାଉ କରିଥିଲେ। ଏନେଇ ଯଶିପୁର ପୋଲିସ ପକ୍ଷରୁ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ।

Leave a Reply

Your email address will not be published. Required fields are marked *