ନ୍ୟୁଜ ଡେକ୍ସ: ଶିମିଳିପାଳକୁ ମିଳିଲା ଜାତୀୟ ଉଦ୍ୟାନର ମାନ୍ୟତା । ଏହା ରାଜ୍ୟର ଦ୍ବିତୀୟ ଜାତୀୟ ଉଦ୍ୟାନ ହୋଇଥିବା ବେଳେ ଦେଶର ୧୦୭ତମ ସ୍ଥାନରେ ରହିଛି । ୨୭୫୦ ବର୍ଗ କିଲୋମିଟର ଅଞ୍ଚଳ ମଧ୍ୟରୁ ମାତ୍ର ୮୪୫.୭୦ ବର୍ଗ କିଲୋମିଟର ଅଞ୍ଚଳକୁ ଜାତୀୟ ଉଦ୍ୟାନ ଭାବରେ ଘୋଷଣା କରାଗଲା ।
ଏହା ଶିମିଳିପାଳର ପଳପଳା ନଦୀର ଉତ୍ତର ଅବବାହିକାରୁ ଆରମ୍ଭ ହୋଇ ଦକ୍ଷିଣକୁ କାଲିପାହାଡ ପାହାଡ଼ ପର୍ଯ୍ୟନ୍ତ, ଉତ୍ତରପୂର୍ବ ସୀମା ସୀତକୁଣ୍ଡ ଠାରୁ ସୁନପୋଖରୀ ପାହାଡ଼ ଯାଏଁ ପରିବ୍ୟାପ୍ତ ରହିବ । ଉକ୍ତ ଅଞ୍ଚଳର ଯେକୌଣସି ଜମି ସମ୍ପର୍କରେ କରାଯାଇଥିବା ସମସ୍ତ ଦାବି ରାଜ୍ୟ ସରକାରଙ୍କ ଦ୍ୱାରା ନିଷ୍କାସନ କରାଯାଇଛି ଏବଂ ଜାତୀୟ ଉଦ୍ୟାନ ମଧ୍ୟରେ ଅନ୍ତର୍ଭୁକ୍ତ ଜମି ସମ୍ପର୍କରେ ସମସ୍ତ ଅଧିକାର ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ ହୋଇଛି। ଉକ୍ତ ଆଇନର ଧାରା ୩୫ର ଉପ-ଧାରା (୪) ଦ୍ୱାରା ପ୍ରଦାନ କରାଯାଇଥିବା କ୍ଷମତା ବ୍ୟବହାର କରି ରାଜ୍ୟ ସରକାର କହିଛନ୍ତି ଯେ ସୂଚୀରେ ବର୍ଣ୍ଣିତ ଅଞ୍ଚଳ ଜାତୀୟ ଉଦ୍ୟାନ ମଧ୍ୟରେ ଅନ୍ତର୍ଭୁକ୍ତ ହେବ।
ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ଜାରି ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ଓଡ଼ିଶା ଗେଜେଟରେ ଏହି ବିଜ୍ଞପ୍ତି ପ୍ରକାଶନ ତାରିଖରୁ ଉକ୍ତ ଅଞ୍ଚଳକୁ ସିମିଳିପାଳ ଜାତୀୟ ଉଦ୍ୟାନ ଭାବରେ ପରିଚିତ କରାଯିବ। ତେବେ ଭିତରକନିକା ଜାତୀୟ ଉଦ୍ୟାନ ପରେ ଏହା ରାଜ୍ୟର ଦ୍ୱିତୀୟ ଜାତୀୟ ଉଦ୍ୟାନ ହେବ।
