ନ୍ୟୁଜ ଡେକ୍ସ: ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପ୍ରୟାସ କାନ୍ତି ସାମଲ ଓରଫ ଲୁଲୁ ସାମଲ । ପୂର୍ବତନ ମନ୍ତ୍ରୀ ତଥା ବିଜୁ ଶ୍ରମିକ ସମ୍ମୁଖ୍ୟର ରାଜ୍ୟ ସଭାପତି ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସ କାନ୍ତି । ଇସ୍ତଫା ଦେବା ପରେ ପ୍ରୟାସକାନ୍ତି ଗଣମାଧ୍ୟମକୁ କହିଛନ୍ତି ଯେ, ସେ ବିଜେଡି ସଭାପତିଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି କିନ୍ତୁ ଦଳ ଛାଡିବା ନିଷ୍ପତ୍ତି ସମ୍ପର୍କରେ ଏପର୍ଯ୍ୟନ୍ତ ତାଙ୍କ ବାପାଙ୍କୁ ଜଣାଇ ନାହାଁନ୍ତି ।
ସେ ଇସ୍ତଫା ପାଇଁ “ବ୍ୟକ୍ତିଗତ କାରଣ” ଦର୍ଶାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ କୌଣସି ଦଳ ସହିତ ଜଡିତ ନ ରହି ଲୋକଙ୍କ ସେବା ଜାରି ରଖିବେ । ପ୍ରୟାସ କାନ୍ତି ୨୦୦୧ ମସିହାରେ ବିଜେଡିରେ ଯୋଗ ଦେଇଥିଲେ । ୨୦୦୩ରୁ ଭଦ୍ରକ ପୌରପାଳିକା ଅଧ୍ୟକ୍ଷ ପଦରେ ଥିଲେ ପ୍ରୟାସକାନ୍ତି । ଏହା ସହ ପୂର୍ବରୁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଦଳର ସାଧାରଣ ସମ୍ପାଦକ ଭାବରେ ସେ କାର୍ଯ୍ୟ କରିଥିଲେ ।
ଦଳରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ପ୍ରୟାସକାନ୍ତିଙ୍କ ଇସ୍ତଫା ପଛରେ କ’ଣ କାରଣ ରହିଛି, ତାହା ସ୍ପଷ୍ଟ ହୋଇନାହିଁ ।ପ୍ରୟାସକାନ୍ତିଙ୍କ ଏହି ନିଷ୍ପତ୍ତି ଭଦ୍ରକ ଜିଲାରେ ବିଜେଡିର ସଙ୍ଗଠନକୁ ଆହୁରି ଦୁର୍ବଳ କରିପାରେ ବୋଲି ଅନୁମାନ କରାଯାଉଛି । ଏହା ସହିତ ସେ ଆଗକୁ କେଉଁ ରାଜନୈତିକ ଦଳରେ ଯୋଗ ଦେବେ କିମ୍ବା ସ୍ବାଧୀନ ଭାବେ ରାଜନୀତି କରିବେ, ତାହା ଉପରେ ରହିଛି ସମସ୍ତଙ୍କ ନଜର ।
