ନ୍ୟୁଜ ଡେକ୍ସ: ଆପଣଙ୍କର ରାସ୍ତାରେ ଅଳିଆ ଫୋପାଡିବାର ଆଦତ ଅଛି କି? ତାହାଲେ ହୋଇଯାଆନ୍ତୁ ସାବଧାନ। ଏଣିକି ରାସ୍ତାରେ ଅଳିଆ ଫିଙ୍ଗିଲେ ଗଣିବେ ମୋଟା ଅଙ୍କର ଟଙ୍କା। ରାସ୍ତାରେ ଅଳିଆ ଫୋପାଡ଼ିଲେ ଦେବେ ଜୋରିମାନା। ସେହିଭଳି ପ୍ଲାଷ୍ଟିକ ଓ ପେପର କପ୍ ଉପରେ କଟକଣା ଜାରି କରାଯାଇଛି। ଏହାକୁ ନଗର ନିଗମ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଛି।
ଏ ସଂକ୍ରାନ୍ତରେ କାଉନସିଲରେ ପ୍ରସ୍ତାବକୁ ଅନୁମୋଦନ ମିଳିସାରିଛି। ଏଥିପାଇଁ ନଗର ନିଗମ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟପନ୍ଥା ପ୍ରସ୍ତୁତ କରାଯାଇଛି। ଯେଉଁ ବ୍ୟକ୍ତି ବା ବ୍ୟବସାୟୀ ରାସ୍ତାକଡ଼ରେ ଆବର୍ଜନା ପକାଇବେ ସେମାନଙ୍କଠାରୁ ଏହି ଜୋରିମାନା ଆଦାୟ ହେବ। ପ୍ରଥମେ ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ ସର୍ବନିମ୍ନ ଜୋରିମାନା ଆଦାୟ କରାଯିବ; ମାତ୍ର ପୁନର୍ବାର ଖିଲାପ କଲେ ଜୋରିମାନା ଦୁଇଗୁଣ ଆଦାୟ କରାଯିବ।
ନିଗମ ଦ୍ବାରା ଘରକୁ ଘର ଅଳିଆ ସଂଗ୍ରହ ଗାଡ଼ି ଯୋଗାଇ ଦିଆଯାଇଥିବା ବେଳେ ଲୋକମାନେ ସଚେତନ ଅଭାବରୁ ରାସ୍ତାଘାଟ ସଫେଇ ହେବା ପରେ ରାସ୍ତାରେ ଅଳିଆ ପକାଉଛନ୍ତି। ଘର ଦ୍ବାର ମୁହଁକୁ ଗାଡ଼ି ଯାଉଥିଲେ ସୁଦ୍ଧା ଆବର୍ଜନା ଅଧିକାଂଶ ନ ଦେଇ ଘର ସମ୍ମୁଖ ରାସ୍ତାକଡ଼ରେ ଗଦା କରୁଛନ୍ତି।

