ନ୍ୟୁଜ ଡେକ୍ସ: ରାଜ୍ୟ ବିଜେପି ସଭାପତି କିଏ ହେବେ ତାକୁ ନେଇ ଜାରି ରହିଥିବା କଳ୍ପନା ଜଳ୍ପନା ଉପରେ ସୋମବାର ପୂର୍ଣ୍ଣଚ୍ଛେଦ ପଡ଼ିଛି । ମନମୋହନ ସାମଲ ପୁଣି ଥରେ ରାଜ୍ୟ ବିଜେପି ସଭାପତି ହେବା ଏକ ପ୍ରକାର ନିଶ୍ଚିତ ହୋଇଛି । ରାଜ୍ୟ ବିଜେପି ସଭାପତି ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ମନମୋହନ ସାମଲ ନାମାଙ୍କନ ଭରିଛନ୍ତି ।
କେନ୍ଦ୍ର ନିର୍ବାଚନ ଅଧିକାରୀଙ୍କ ତରଫରୁ ଓଡ଼ିଶା ପର୍ଯ୍ୟବେକ୍ଷକ ଥିବା ସାଂସଦ ସଞ୍ଜୟ ଜୟସ୍ୱାଲ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ସେ ନାମାଙ୍କନ ଭରିଛନ୍ତି । ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ କେବଳ ବିଧିବଦ୍ଧ ଘୋଷଣା ବାକି । ନିର୍ଦ୍ଧାରିତ ସମୟ ଭିତରେ ଆଉ କେହି ନାମାଙ୍କନ ଭରି ନ ଥିବାରୁ ସେ ପୁଣି ଥରେ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଛି । ମଙ୍ଗଳବାର ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବ ।
ଆସନ୍ତା ୩ ବର୍ଷ ପାଇଁ ମନମୋହନ ସାମଲଙ୍କ କାର୍ଯ୍ୟକାଳ ରହିବ । ଏବେ ସେ ସଭାପତି ହେବାପରେ ଅଟକି ରହିଥିବା ବିଜେପିର ସାଙ୍ଗଠନିକ କାର୍ଯ୍ୟ ଆଗକୁ ବଢିବ ବୋଲି ଚର୍ଚ୍ଚା ହେଉଛି । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସହିତ ବିଭିନ୍ନ ରାଜନୈତିକ ନିଯୁକ୍ତି ମଧ୍ୟ ତ୍ୱରାନ୍ୱିତ ହେବ । ଆଗରୁ ମଧ୍ୟ ସେ ବିଜେପି ରାଜ୍ୟ ସଭାପତି ସମେତ ରାଜ୍ୟସଭା ସାଂସଦ ରହିସାରିଛନ୍ତି ।
