ନ୍ୟୁଜ ଡେକ୍ସ : ଶ୍ରୀମନ୍ଦିର ଉପରକୁ ଚଢ଼ିବାକୁ ଶୁକ୍ରବାର ଜଣେ ବ୍ୟକ୍ତି ଉଦ୍ୟମ କରିଛନ୍ତି। ପଶ୍ଚିମ ଦ୍ୱାର ନୃସିଂହ ମନ୍ଦିର ଦେଇ ଚଢ଼ିବାକୁ ଉଦ୍ୟମ ବେଳେ ତାଙ୍କୁ କାବୁ କରାଯାଇଛି। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଉତ୍ତରପ୍ରଦେଶ ଆଜମଗଡ଼ର ବୋଲି ସୂଚନା ମିଳିଛି। ତେବେ କାହିଁକି ଏଭଳି ଉଦ୍ୟମ କରିଛନ୍ତି, ତାଙ୍କ ମାନସିକ ସ୍ଥିତି ଠିକ୍ ଅଛି କି ନାହିଁ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ଗତକିଛି ଦିନ ପୂର୍ବେ ଠିକ୍ ସମାନ ଘଟଣା ଦେଖିବାକୁ ମିଳିଥିଲା । ଜଣେ ଯୁବକ ବେହରଣ ଦ୍ଵାର ପଟରୁ ପ୍ରାୟ ୭ ଫୁଟ୍ ଚଢ଼ି ସାରିଥିବା ବେଳେ ଜଗନ୍ନାଥ ମନ୍ଦିର ପୋଲିସ (Jagannath Temple Police) ହାତରେ ଧରାପଡିଲେ । ପରେ ତାଙ୍କୁ ସିଂହଦ୍ୱାର ପୋଲିସ ଜିମା ଦିଆଯାଇଛି । ଉକ୍ତ ବ୍ୟକ୍ତି ଜଣକ ବିହାରର ବୋଲି ଜଣାପଡ଼ିଛି । ଦକ୍ଷିଣ ଘର ବାଟରେ ବ୍ୟକ୍ତି ଜଣକ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ । ବ୍ୟକ୍ତି ଜଣଙ୍କର ମାନସିକ ସ୍ଥିତି ଠିକ୍ ନଥିବା କୁହାଯାଉଥିଲା ।
ସେପଟେ, ଏହି ଘଟଣା ସାମ୍ନାକୁ ଆସିବା ପରେ ମନ୍ଦିର ଚତୁଃପାର୍ଶ୍ବ ବୁଲି ବୁଲି ଅନୁଧ୍ୟାନ କଲେ ମୁଖ୍ୟ ପ୍ରଶାସକ ଓ ଏସ୍ପି । ଅନୁଧ୍ୟାନ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଶ୍ରୀମନ୍ଦିରର କେଉଁ କେଉଁ ସ୍ଥାନରେ ଚଢ଼ିବା ସୁଯୋଗ ଅଛି ଦେଖିଲୁ । ଏସବୁ ସ୍ଥାନ ପୋଲିସ ସୁରକ୍ଷା ବଳୟକୁ ନିଆଯିବ, ପୋଲିସ ମୁତୟନ ହେବେ । ଆନନ୍ଦ ବଜାରରେ ପୋଲିସର କଣ୍ଟ୍ରୋଲ୍ ରୁମ୍ ଖୋଲାଯିବ ।

