ନ୍ୟୁଜ ଡେକ୍ସ : ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ଇଷ୍ଟଦେବୀଙ୍କୁ ଲାଗି ହେଲା ନବାନ୍ନ। ସମ୍ବଲପୁର ଅଧିଷ୍ଠାତ୍ରୀ ମା’ ସମଲେଶ୍ବରୀଙ୍କୁ ନବାନ୍ନ ଲାଗି କରାଯାଇଛି । ନବାନ୍ନ ଲାଗି ସମୟରେ ମାଆଙ୍କୁ ନୂଆ ଧାନରେ ଅନ୍ନ ଲାଗି କରାଯିବା ସହ ମହାଆଳତି ମଧ୍ୟ କରାଯାଇଥିଲା ।
ମା’ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ନିର୍ଦ୍ଧାରିତ ସମୟରେ ନବାନ୍ନ ଲାଗି କରାଯାଇଛି। ଏହା ପରେ ମାଆଙ୍କ ସର୍ବସାଧାରଣ ଦର୍ଶନ ପାଇଁ ମନ୍ଦିର ଦ୍ବାର ଖୋଲାଯାଇଛି ।ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ପୂରା ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇ ଉଠିଛି । ଇଷ୍ଟଦେବୀଙ୍କ ନିକଟରେ ନୂଆଧାନ ଲାଗି ହେବା ପରେ ପରିବାର ନବାନ୍ନ ଖାଇଥାନ୍ତି ।ସୁବର୍ଣ୍ଣପୁରରେରେ ଇଷ୍ଟଦେବୀ ମା ସୁରେଶ୍ବରୀଙ୍କ ପାଖରେ ନବାନ୍ନ ଲାଗି ହୋଇଛି । ପରମ୍ପରା ଅନୁସାରେ ସୁବର୍ଣ୍ଣପୁରର ଇଷ୍ଟଦେବୀ ସୁରେଶ୍ୱରୀ, ଭଗବତୀ, ଖମ୍ବେଶ୍ୱରୀ, ସମଲେଶ୍ୱରୀ, ବୁଢ଼ୀସମଲାଇ ଆଦି ଅଷ୍ଟଚଣ୍ଡୀଙ୍କ ପାଖକୁ ରାଜ ଭୋଗ ଖଞ୍ଜା ହୋଇଥାଏ ।
ସେହିପରି ବଲାଙ୍ଗୀର ସମଲେଶ୍ବରୀ ମନ୍ଦିରରେ ଧାର୍ଯ୍ୟ ଲଗ୍ନ ଅନୁସାରେ, ଗୁରୁବାର ପୂର୍ବାହ୍ନ ୯ଟା ୪୭ରୁ ୧୧ଟା୧୧ମିନିଟ୍ ମଧ୍ୟରେ ପାରମ୍ପରିକ ରୀତିରେ ନବାନ୍ନ ଅର୍ପଣ କରାଯାଇଛି। ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ମୁଖ୍ୟ ପୂଜକ ଦେବୀଙ୍କୁ ନୂଆକୁଣ୍ଡା ଅର୍ପଣ କରି ସମସ୍ତ ପ୍ରାଣୀଙ୍କ ମଙ୍ଗଳ ବିଧାନ ପାଇଁ ପ୍ରାର୍ଥନା କରିଛନ୍ତି। ସମାନ ବିଧିରେ ଦେବୀ ପାଟଣେଶ୍ବରୀଙ୍କ ମନ୍ଦିରରେ ମଧ୍ୟ ନୂଆ ଲାଗିଛି।
