ନ୍ୟୁଜ ଡେକ୍ସ : ଆଜି ସାରା ଦେଶରେ ଆଲୋକର ପର୍ବ ଦୀପାବଳି ଉତ୍ସବମୁଖର ପରିବେଶରେ ପାଳିତ ହେଉଛି। ଓଡ଼ିଶାର ଆଧ୍ୟାତ୍ମିକ ମାନଚିତ୍ରର ମୁଖ୍ୟ କେନ୍ଦ୍ର ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ଏହି ଶୁଭ ଅବସରକୁ ନେଇ ଶ୍ରଦ୍ଧାଳୁମାନେ ବିଶେଷ ଉତ୍ସାହ ଓ ଭକ୍ତିରେ ଭରିଛନ୍ତି।ଦୀପାବଳି ଦିନେ ପ୍ରତିବଛର ପରି ଏବେ ମଧ୍ୟ ଶ୍ରଦ୍ଧାଳୁମାନେ ନିଜ ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ପୟା ଶ୍ରାଦ୍ଧ ଦେଇ ପିଣ୍ଡଦାନ କରୁଛନ୍ତି।
ଏହି ପାଇଁ ଅନେକ ଭକ୍ତଙ୍କ ଭୀଡ଼ ଶ୍ରୀମନ୍ଦିର ଅଞ୍ଚଳ, ବଡ଼ଦାଣ୍ଡ ଓ ତୀର୍ଥ ପୁଷ୍କରିଣୀମାନେ ଆକ୍ରାନ୍ତ ହୋଇଯାଇଛି। ଶ୍ରଦ୍ଧାଳୁଙ୍କ ବେଶୀ ସଂଖ୍ୟା ଆଗମନକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ଏମାର ମଠ ଚକ ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି।ସହରର ୪ଟି ସ୍ଥାନରେ ବ୍ୟାରିକେଡ଼୍ ଘେରା ତଳେ ବାଲି ପକାଯାଇଛି, ଯେଉଁଠି ଶ୍ରଦ୍ଧାଳୁମାନେ କାଉଁରିଆ ଜାଳି ବଡ଼ବଡ଼ୁଆ ଡାକି ଶ୍ରାଦ୍ଧ କାର୍ଯ୍ୟ କରି ପୂର୍ବଜଙ୍କୁ ସ୍ମରଣ କରୁଛନ୍ତି। ଅଘଟଣ ରୋକିବା ପାଇଁ ଅଗ୍ନିଶମ ଏବଂ ଆମ୍ବୁଲାନ୍ସ ମଧ୍ୟ ମୁତୟନ ରଖାଯାଇଛି।ଆଲୋକର ପର୍ବ ଦୀପାବଳିରେ ବଡ଼ଦାଣ୍ଡ ସମେତ ତୀର୍ଥ ପୁଷ୍କରିଣୀରେ ଲାଗିବ ପ୍ରବଳ ଭିଡ଼।
ସକାଳୁ ତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗା, ମାର୍କଣ୍ଡ, ଇନ୍ଦ୍ରଦ୍ୟୁମ୍ନ, ନରେନ୍ଦ୍ର ସମେତ ପବିତ୍ର ମହୋଦଧିରେ ସ୍ନାନକରି ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ପହଞ୍ଚିବେ। ଶ୍ରୀଜଗନ୍ନାଥଙ୍କୁ ସାକ୍ଷୀ ରଖି ପୂର୍ବଜଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବେ। ପୂର୍ବପୁରୁଷଙ୍କ ମୋକ୍ଷପ୍ରାପ୍ତି ଓ ପରିବାର ପାଇଁ ଆର୍ଶୀବାଦ ଲାଭ କରିବେ। ଠାକୁରଙ୍କ ଦର୍ଶନ ସହ ମହାପ୍ରସାଦ ସେବନ କରି ବ୍ରାହ୍ମଣ ଭୋଜନ କରାଇ ପୂଣ୍ୟ ଅର୍ଜନ କରିବେ।
ଦୀପାବଳି ଅବସରରେ ସନ୍ଧ୍ୟାରେ ସୁସଜ୍ଜିତ ଆଲୋକମାଳାରେ ସାରା ସହର ଝଲସି ଉଠିବ। ସହରବାସୀ ଘରେ ଘରେ ଦୀପ ଓ ମହମବତୀ ଲଗାଇବା ସହ କାଉଁରିଆ ଜାଳିବେ। ବିଭିନ୍ନ ଅନୁଷ୍ଠାନ ରଙ୍ଗବେରଙ୍ଗର ଆଲୋକମାଳାରେ ସୁସଜ୍ଜିତ ହେବ। ବ୍ୟବସାୟିକ ଅନୁଷ୍ଠାନ ବେଶ ଜାକଜମକରେ ପାଳନ କରିବେ। ବିପଦଜନକ ବାଣ ନଫୁଟାଇବାକୁ ଗଣମାଧ୍ୟମ ଜରିଆରେ ଏସ୍ପି ସିଂହ ସଭିଙ୍କୁ ଅନୁରୋଧ କରିଛନ୍ତି ।
