Sun. Feb 22nd, 2026

ନ୍ୟୁଜ ଡେକ୍ସ : ଆଗାମୀ ଦିନଗୁଡିକରେ ଆସୁଛି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ପଞ୍ଚୁକ ବ୍ରତ। ପାରମ୍ପରିକ ଭାବେ ଏହି ପଞ୍ଚ ଦିନ ଶ୍ରୀମନ୍ଦିରରେ ଭକ୍ତମାନଙ୍କ ଭିଡ଼ ଅପାର ହୁଏ। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଏହି ଅବସରରେ ଭକ୍ତମାନେ ନିରାପଦ ଓ ଶୃଙ୍ଖଳାବଦ୍ଧ ଭାବେ ଦର୍ଶନ କରିପାରନ୍ତୁ, ସମୟରେ ମହାପ୍ରସାଦ ବାହାରିପାରେ ଓ ଭଲ ଭାବେ ସେବନ କରିହେବ ।

ଏହାକୁ ନେଇ ସୋମବାର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସ୍‌ପି ଓ ବରିଷ୍ଠ ସେବାୟତମାନଙ୍କ ସହ ବୈଠକ କରିଥିଲେ।ଜିଲ୍ଲାପାଳ ପରିଡ଼ା କହିଛନ୍ତି ଯେ, ପଞ୍ଚୁକ ସମୟରେ ସିଂହଦ୍ୱାରକୁ ପ୍ରବେଶ ଦ୍ୱାର ଭାବେ ଏବଂ ଅନ୍ୟ ତିନି ଦ୍ୱାରକୁ ପ୍ରସ୍ଥାନ ପଥ ଭାବେ ବ୍ୟବହାର କରିବା ପାଇଁ ଚିନ୍ତା ହେଉଛି। ଭିଡ଼ ନିୟନ୍ତ୍ରଣ ପାଇଁ ଏବେଠାରୁ ଶ୍ରୀମନ୍ଦିର ବାହାରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ଲୋହ ରେଲିଂ ବ୍ୟାରିକେଡ୍ ନିର୍ମାଣ ଆରମ୍ଭ ହୋଇଛି।

ସହରରେ ଟ୍ରାଫିକ୍ ନିୟନ୍ତ୍ରଣ, ଆଶୁ ଚିକିତ୍ସା କେନ୍ଦ୍ର, ସୂଚନା କେନ୍ଦ୍ର ଓ ମହାପ୍ରସାଦ ବ୍ୟବସ୍ଥା ସୁଦୃଢ ହେବ। ବରିଷ୍ଠ ସେବକ ଓ ପରିଚାଳନା କମିଟି ସଦସ୍ୟ ଜଗନ୍ନାଥ ପୂଜାପଣ୍ଡା କହିଛନ୍ତି, ପ୍ରସ୍ତୁତି ବୈଠକରେ ମହାପ୍ରଭୁଙ୍କ ନୀତି ସଅଳ କରିବା, ଭକ୍ତଙ୍କୁ ଅଧିକ ସମୟ ଦର୍ଶନ ସୁବିଧା ଦେବା ଓ ମହାପ୍ରସାଦ ବ୍ୟବସ୍ଥା ସୁଚାରୁ ରଖିବା ନେଇ ଆଲୋଚନା ହୋଇଛି। ତେବେ ଭିଡ଼ ପରିସ୍ଥିତି ଦେଖି ମହାପ୍ରଭୁଙ୍କ ଦିବା ପହୁଡ଼ ହେବ କି ନାହିଁ ତାହା ନିର୍ଦ୍ଧାରିତ ହେବ।

Leave a Reply

Your email address will not be published. Required fields are marked *