ନ୍ୟୁଜ ଡେକ୍ସ :ଏମାର ମଠରୁ ଉଦ୍ଧାର ହୋଇଥିବା ରୂପା ଇଟାକୁ କେଉଁଠି ରଖାହେବ ଏନେଇ ଚାଲୁଥିବା ଚର୍ଚ୍ଚାକୁ ଆଜି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଏହି ରୂପା ଇଟା ଏମାର ମଠର ସମ୍ପତ୍ତି ହେଉଥିଲେ ମଧ୍ୟ, ସିଦ୍ଧମଠ ମାମଲାର ରାୟ ଅନୁସାରେ ମଠ ସମ୍ପତ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ହେବା କଥା। ତେଣୁ ଏହି ରୂପା ଇଟା ମଧ୍ୟ ଶ୍ରୀମନ୍ଦିରଙ୍କ ଅଧୀନକୁ ଆସିବା ଉଚିତ ବୋଲି ସେ ବ୍ୟକ୍ତ କରିଛନ୍ତି।ମନ୍ତ୍ରୀ କହିଛନ୍ତି, “ଆଇନଗତ ପ୍ରକ୍ରିୟା ଚାଲିଛି।
ସେଥିରୁ ସମସ୍ତ ବାଧା ଦୂର କରି ରୂପା ଇଟାକୁ ରତ୍ନଭଣ୍ଡାରକୁ ଆଣିବା ପାଇଁ ସରକାର ପଦକ୍ଷେପ ନେବ। ଏହା ସମସ୍ତଙ୍କ ଇଚ୍ଛା ଓ ଆମର ମଧ୍ୟ ସଂକଳ୍ପ।” ରତ୍ନଭଣ୍ଡାର ପ୍ରସଙ୍ଗରେ ଆଇନମନ୍ତ୍ରୀ ଆହୁରି କହିଛନ୍ତି, ରତ୍ନଅଳଙ୍କାର ଗଣତିମଣତି ପାଇଁ ଏସଓପି (Standard Operating Procedure) ଖୁବଶୀଘ୍ର ପ୍ରକାଶ ହେବ। ମାର୍ଗଦର୍ଶିକା ଆସିବା ପରେ ଗଣତିମଣତିର ତାରିଖ ଧାର୍ଯ୍ୟ କରାଯିବ। ସେହି ସହିତ ସମସ୍ତ ରତ୍ନଅଳଙ୍କାରକୁ ଡିଜିଟାଲାଇଜ୍ କରିବା ପାଇଁ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଛି। ୧୯୭୮ର ଗଣତି ସହ ଅଳଙ୍କାରର ମେଳ ହେଉଛି କି ନୁହେଁ ତାହା ମଧ୍ୟ ଯାଞ୍ଚ କରାଯିବ।
ଏପରିକି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଥିଲେ, ଏମାର ମଠରୁ ଉଦ୍ଧାର ରୂପା ଇଟା ମାମଲା ବର୍ତ୍ତମାନ ହାଇକୋର୍ଟରେ ରହିଛି। ପୋଲିସ ବାରାକରେ ରଖାଯାଇଥିବା ଏହି ଇଟାକୁ ଶ୍ରୀଜୀଉଙ୍କ ଅଧୀନକୁ କିପରି ଆଣାଯାଇପାରିବ ତାହା ନେଇ ଶ୍ରୀମନ୍ଦିର ପ୍ରଶାସନ ଆଇନଗତ ପଦକ୍ଷେପ ନେଉଛି।ଏହି ସମସ୍ତ ପ୍ରକ୍ରିୟା ନିସ୍ପତ୍ତି ହେବା ପରେ, ଏମାର ମଠର ରୂପା ଇଟାକୁ ରତ୍ନଭଣ୍ଡାରରେ ସୁରକ୍ଷିତ ଭାବେ ରଖାଯିବା ଆଶା କରାଯାଉଛି।

