ନ୍ୟୁଜ ଡେକ୍ସ : ରାଜ୍ୟର ୮ଟି ମହାବିଦ୍ୟାଳୟରୁ ଛାତ୍ରୀ ଯୌନ ନିର୍ଯାତନା ଓ ଶୋଷଣ ସମ୍ପର୍କିତ ଅଭିଯୋଗ ଆସିଥିବା ସୂଚନା ଆଜି ବିଧାନସଭାରେ ଦିଆଯାଇଛି। ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଗୃହରେ ଏହି ତଥ୍ୟ ରଖିଛନ୍ତି।ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ରାଉରକେଲା ସ୍ୱୟଂଶାସିତ କଲେଜରୁ ସର୍ବାଧିକ ୩ଟି ଯୌନ ନିର୍ଯାତନା ସମ୍ପର୍କିତ ଘଟଣା ସାମ୍ନାକୁ ଆସିଛି।
ସେଥିସହ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରୁ ଗୋଟିଏ ଘଟଣା ରିପୋର୍ଟ ହୋଇଛି। ସେହିଭଳି ଯାଜପୁରର ବାଲିଆ କଲେଜରୁ ଗୋଟିଏ, ଅନୁଗୁଳରୁ ଗୋଟିଏ, ବରଗଡ଼ ଓ ଟିଟିଲାଗଡ଼ରୁ ଗୋଟିଏ ଲେଖାଏଁ ଅଭିଯୋଗ ଆସିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ସେହିପରି ବାଲେଶ୍ୱର ଏଫ୍ଏମ୍ କଲେଜରୁ ବି ଗୋଟିଏ ଅଭିଯୋଗ ଆସିଥିବା ଜଣାପଡ଼ିଛି।
ମୋଟ ୮ଟି ଘଟଣା ମଧ୍ୟରୁ ୭ଟି ମାମଲାରେ ଅଧ୍ୟାପକଙ୍କ ବିରୋଧରେ ଛାତ୍ରୀଙ୍କ ପକ୍ଷରୁ ଯୌନ ନିର୍ଯାତନା ଅଭିଯୋଗ ଥିବା ବେଳେ, ଗୋଟିଏ କଲେଜରୁ ଛାତ୍ରୀଙ୍କ ପକ୍ଷରୁ ରାଗିଂ ଅଭିଯୋଗ ଆସିଛି। ମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ଘଟଣାର ଗୁରୁତ୍ୱର ସହିତ ତଦନ୍ତ କରାଯାଉଛି ଏବଂ ଯେଉଁଠି ଦୋଷୀ ସାବ୍ୟସ୍ତ ହେବେ, ସେଠାରେ କଡା ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ।

