Sun. Feb 22nd, 2026

ନ୍ୟୁଜ ଡେକ୍ସ :ରାଜ୍ୟରେ ବର୍ତ୍ତମାନ ୩୫ଟି ଶୀତଳ ଭଣ୍ଡାର (କୋଲ୍ଡ ଷ୍ଟୋରେଜ) କାର୍ଯ୍ୟକ୍ଷମ ଅବସ୍ଥାରେ ରହିଥିବା ସୂଚନା ଆଜି ବିଧାନସଭାରେ ମିଳିଛି। ଏହା ମଧ୍ୟରୁ ୩୩ଟି ବେସରକାରୀ ଓ ୨ଟି ସରକାରୀ ଶୀତଳ ଭଣ୍ଡାର ରହିଛି। ଏସବୁ ଶୀତଳ ଭଣ୍ଡାରର ମୋଟ ସଞ୍ଚୟ କ୍ଷମତା ୧ ଲକ୍ଷ ୭୨ ହଜାର ୧୮୦ ମେଟ୍ରିକ୍ ଟନ୍‌ ବୋଲି ଗୃହକୁ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ଶୀତଳ ଭଣ୍ଡାର ସମ୍ପର୍କୀୟ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ବିଗତ ୧୦ ବର୍ଷରେ ରାଜ୍ୟରେ ୨୬ଟି ନୂଆ ଶୀତଳ ଭଣ୍ଡାର ନିର୍ମାଣ ହୋଇଛି। ସେଥିରୁ ୨୨ଟି କାର୍ଯ୍ୟକ୍ଷମ ଓ ୪ଟି ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।ମନ୍ତ୍ରୀ ଆହୁରି କହିଛନ୍ତି ଯେ, ସବ୍-ଡିଭିଜନ ସ୍ତରରେ ୫୮ଟି ନୂଆ ଶୀତଳ ଭଣ୍ଡାର ନିର୍ମାଣ କରିବା ଲକ୍ଷ୍ୟ ଧରାଯାଇଛି। ଏହି ପ୍ରକଳ୍ପ ପାଇଁ ୨୫୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହାସହ ୧୫ଟି ନୂଆ ଓ ୨ଟି ଅଚଳ ଶୀତଳ ଭଣ୍ଡାରକୁ କାର୍ଯ୍ୟକ୍ଷମ କରିବା ପାଇଁ ଦରଖାସ୍ତ ପହଞ୍ଚିଥିବା ବେଳେ, ସରକାର ୫ଟି ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି।

ଶୀତଳ ଭଣ୍ଡାର ନିର୍ମାଣ ଓ ପରିଚାଳନାକୁ ଉତ୍ସାହିତ କରିବାକୁ ସରକାର ପକ୍ଷରୁ ସବସିଡି ଓ ବିଦ୍ୟୁତ ଶୁଳ୍କରେ ରିହାତି ଦିଆଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହାସହ ଚଳିତ ଆର୍ଥିକ ବର୍ଷରେ ପ୍ରତିଷ୍ଠିତ ୨୩୯ଟି ସୋଲାର କୋଲ୍ଡ ରୁମ ଚାଷୀମାନଙ୍କ ପାଇଁ ବହୁତ ସାହାଯ୍ୟକାରୀ ହୋଇଛି ବୋଲି ସେ କହିଛନ୍ତି।ଏହି ପଦକ୍ଷେପ ଦ୍ୱାରା କୃଷକମାନେ ନିଜ ଉତ୍ପାଦକୁ ଦୀର୍ଘ ସମୟ ସୁରକ୍ଷିତ ଭାବେ ସଞ୍ଚୟ କରିପାରିବେ ଏବଂ ବଜାର ଦର ଉପରେ ଅଧିକ ନିୟନ୍ତ୍ରଣ ରଖିପାରିବେ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *