ନ୍ୟୁଜ ଡେକ୍ସ: ‘ସୁଭଦ୍ରା ଯୋଜନା’ର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୯ରେ ହିତାଧିକାରୀଙ୍କ ଆକାଉଣ୍ଟରେ ପହଞ୍ଚିବ। ଦଶହରା ପୂର୍ବରୁ ମହିଳାଙ୍କୁ ଏହି ଟଙ୍କା ମିଳିବାକୁ ଯାଉଥିବାରୁ ଉତ୍ସାହ ବଢ଼ି ଚାଲିଛି। ଏମିତିରେ କେଉଁ ସମୟରେ ଏହି ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଛଡ଼ାଯିବ ସେନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଟଙ୍କା ପଠାଯିବ। ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ଦିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ହଜାର ହିତାଧିକାରୀଙ୍କୁ ଟଙ୍କା ମିଳିଥିଲା। ସେପଟେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ଦାୟିତ୍ଵରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ସୁଭଦ୍ରା ପାଇଁ ୧.୨ କୋଟି ମହିଳା ହିତାଧିକାରୀ ପଞ୍ଜୀକରଣ କରିସାରିଲେଣି। ତେବେ ଆକାଉଣ୍ଟକୁ ୧ ଟଙ୍କା ଯାଇଥିବା ନେଇ ଲାଗିରହିଥିବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ।
କାହା ପାଖକୁ ୧ ଟଙ୍କା ଯାଇଥାଇପାରେ, କାହା ପାଖକୁ ଅଧିକ ଯାଇଥାଇପାରେ ଆଉ କାହା ପାଖକୁ ଯାଇ ନ ଥାଇପାରେ । କିନ୍ତୁ ଯେଉଁମାନେ କ୍ଲିୟର ଅଛନ୍ତି, ସେ ସମସ୍ତେ ସୁଭଦ୍ରା ଟଙ୍କା ପାଇବେ । ୯ ତାରିଖ ଦିନ ୧୨ଟା ପୂର୍ବରୁ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ତେବେ ଆଶ୍ୱସ୍ତ ରୁହୁବା ସହ ଭିଡ଼ ନ ଜମାଇବାକୁ ପରାମର୍ଶ ଦେଇଛନ୍ତି ପ୍ରଭାତୀ ପରିଡା ।
