ନ୍ୟୁଜ ଡେକ୍ସ : ଆଜି ରୂପା ଦର ପୁଣିଥରେ ସମସ୍ତ ପୁରୁଣା ରେକର୍ଡ ଭାଙ୍ଗି ଐତିହାସିକ ସ୍ତରକୁ ପହଞ୍ଚିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ରୂପାର ମୂଲ୍ୟ ପ୍ରଥମ ଥର ପାଇଁ ପ୍ରତି କିଲୋଗ୍ରାମ ୨.୫୦ ଲକ୍ଷ ଟଙ୍କା ସୀମା ଅତିକ୍ରମ କରିଛି। ଏହି ଦ୍ରୁତ ବୃଦ୍ଧି କେବଳ ଭାରତୀୟ ବଜାରରେ ସୀମିତ ନୁହେଁ, ବରଂ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ରୂପା ଦର ନୂଆ ଉଚ୍ଚତା ଛୁଇଁଛି।
MCXରେ ରୂପା ମାର୍ଚ୍ଚ ଫ୍ୟୁଚର୍ସ ଆଜି ୫.୯୯ ପ୍ରତିଶତ ବୃଦ୍ଧି ପାଇ ପ୍ରତି କିଲୋଗ୍ରାମ ୨,୫୪,୧୭୪ ଟଙ୍କାରେ ପହଞ୍ଚିଥିଲା, ଯାହା ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି। ସକାଳ ସେସନରେ ରୂପା ପ୍ରତି କିଲୋଗ୍ରାମ ୨,୫୧,୭୪୬ ଟଙ୍କାରେ କାରବାର ହେଉଥିବା ବେଳେ, ପୂର୍ବ ସେସନ ତୁଳନାରେ ୧୧,୯୫୯ ଟଙ୍କା ଅର୍ଥାତ୍ ୪.୯୯ ପ୍ରତିଶତ ବୃଦ୍ଧି ଦେଖାଯାଇଛି। ଏହା ନିବେଶକଙ୍କ ମଧ୍ୟରେ ଭାରି ଉତ୍ସାହ ସୃଷ୍ଟି କରିଛି।ଅନ୍ୟପଟେ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ରୂପା ଦର ଦୀର୍ଘ ସମୟର ସର୍ବୋଚ୍ଚ ସ୍ତରକୁ ଛୁଇଁଛି। ରିପୋର୍ଟ ଅନୁସାରେ, ପ୍ରଥମ ଥର ପାଇଁ ବିଶ୍ୱ ବଜାରରେ ରୂପା ମୂଲ୍ୟ ୮୦ ଡଲାର ପ୍ରତି ଆଉନ୍ସ ସୀମା ଅତିକ୍ରମ କରିଥିଲା।
ଯଦିଓ ପରେ ସାନା ସୁଧାର ଦେଖାଯାଇଛି। ଆଜି ସ୍ପଟ୍ ବଜାରରେ ରୂପା ୧.୩ ପ୍ରତିଶତ ହ୍ରାସ ପାଇ ପ୍ରତି ଆଉନ୍ସ ୭୮.୧୨ ଡଲାରରେ କାରବାର କରୁଥିବା ବେଳେ, ପୂର୍ବ ସେସନରେ ଏହା ୮୩.୬୨ ଡଲାରର ସର୍ବକାଳୀନ ଉଚ୍ଚତା ଛୁଇଁଥିଲା। ବିଶେଷଜ୍ଞମାନଙ୍କ ମତାନୁସାରେ, ରୂପା ମୂଲ୍ୟର ଏହି ଭାରି ବୃଦ୍ଧି ପଛରେ କିଛି ମୁଖ୍ୟ କାରଣ ରହିଛି। ବିଶ୍ୱ ବଜାରରେ ଯୋଗାଣ ଅଭାବ, ସୌର ଶକ୍ତି, ଇଲେକ୍ଟ୍ରୋନିକ୍ସ ଓ ଗ୍ରୀନ୍ ଟେକ୍ନୋଲୋଜି ଭଳି କ୍ଷେତ୍ରରେ ଶିଳ୍ପ ଚାହିଦା ବୃଦ୍ଧି ରୂପା ଦରକୁ ଉପରକୁ ଟାଣୁଛି।
ସେଥିସହିତ ଆମେରିକାର ଫେଡେରାଲ ରିଜର୍ଭ ଆଗାମୀ ଦିନରେ ସୁଧ ହାର ଆହୁରି କମାଇପାରେ ବୋଲି ଆଶା ଥିବାରୁ, ନିବେଶକମାନେ ସୁରକ୍ଷିତ ନିବେଶ ଭାବେ ରୂପା ପ୍ରତି ଆକୃଷ୍ଟ ହେଉଛନ୍ତି।ବଜାର ବିଶେଷଜ୍ଞମାନେ କହୁଛନ୍ତି, ଆସନ୍ତା କିଛି ଦିନରେ ଯଦି ଅନ୍ତର୍ଜାତୀୟ ଅନିଶ୍ଚିତତା ଜାରି ରହେ ଓ ଶିଳ୍ପ ଚାହିଦା ଆହୁରି ବୃଦ୍ଧି ପାଏ, ତେବେ ରୂପା ମୂଲ୍ୟ ଆହୁରି ନୂଆ ଉଚ୍ଚତା ଛୁଇଁପାରେ।

