ନ୍ୟୁଜ ଡେକ୍ସ : ଶ୍ରୀଜଗନ୍ନାଥଙ୍କ ଅଣସର ନୀତି ଅବସରରେ ମଙ୍ଗଳବାରଠାରୁ ବ୍ରହ୍ମଗିରି ସ୍ଥିତ ଶ୍ରୀଅଲାରନାଥ ମନ୍ଦିରରେ ଅଣସର ଦର୍ଶନ ଆରମ୍ଭ ହୋଇଛି। ଆସନ୍ତା ୧୪ ଦିନ ଧରି ମହାପ୍ରଭୁ ଚତୁର୍ଭୁଜ ନାରାୟଣ ରୂପରେ ଭକ୍ତମାନଙ୍କୁ ଦର୍ଶନ ଦେବେ। ଏହାକୁ ନେଇ ବ୍ରହ୍ମଗିରି ଦ୍ୱିତୀୟ ଶ୍ରୀକ୍ଷେତ୍ରର ରୂପ ନେଇଛି।ଅଣସର ଦର୍ଶନ ପାଇଁ ମନ୍ଦିର ପରିଚାଳନା କମିଟି ଓ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମନ୍ଦିର, ବିଗ୍ରହ, ସିଂହଦ୍ୱାର, ଆନନ୍ଦ ବଜାର ସମେତ ସମଗ୍ର ପରିସରକୁ ଆକର୍ଷଣୀୟ ଭାବେ ସଜାଯାଇଛି।
ନବସ୍ଥାପିତ ଅରୁଣ ସ୍ତମ୍ଭ ପ୍ରତିଷ୍ଠା ସହ ଧ୍ୱଜାବନ୍ଧା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି।ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଥିବା ବେଳେ ଗୋପଛକ ମୁଖ୍ୟ ରାସ୍ତାରୁ ପାଦରେ ଚାଲି ମନ୍ଦିରକୁ ଯିବାର ବ୍ୟବସ୍ଥା କରାଯାଇଛି। ଭିଆଇପି ଓ ଭିଭିଆଇପିଙ୍କ ଯାନ ଯାତ୍ରୀ ନିବାସରେ ରହିବ। ସାଧାରଣ ଶ୍ରଦ୍ଧାଳୁଙ୍କ ୩ ଓ ୪ ଚକିଆ ଯାନ ପାଇଁ ଚନ୍ଦନ ପୋଖରୀ ନିକଟରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ସେବାୟତମାନଙ୍କ ଯାନ ପାନ୍ଥ ନିବାସ ନିକଟରେ ରଖାଯିବ।ଟ୍ରାଫିକ୍ ପରିଚାଳନା ପାଇଁ ଅଲାରପୁର ଗାଁ ଓ ବ୍ରହ୍ମଗିରି ଦେଇ ସ୍ୱତନ୍ତ୍ର ଯାତାୟାତ ବ୍ୟବସ୍ଥା କରାଯାଇଛି।
ଅଣସର ଦର୍ଶନ ଶେଷ ପର୍ଯ୍ୟନ୍ତ ପୁରୀ ମଙ୍ଗଳାଘାଟରୁ ସାତପଡ଼ା ଓ ଖଜୁରିଆରୁ ବ୍ରହ୍ମଗିରି ପର୍ଯ୍ୟନ୍ତ ସକାଳ ୬ଟାରୁ ରାତି ୧୦ଟା ଯାଏଁ ଭାରୀଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି।ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅତିରିକ୍ତ ଏସ୍ପିଙ୍କ ନେତୃତ୍ୱରେ ୫ ଜଣ ଇନ୍ସପେକ୍ଟର, ୧୭ ଜଣ ଅଧିକାରୀ, ୮ ପ୍ଲାଟୁନ୍ ପୁଲିସ୍ ଫୋର୍ସ, ୭୦ରୁ ଅଧିକ ହୋମଗାର୍ଡ, ୬ ଜଣ ଟ୍ରାଫିକ୍ ପୁଲିସ୍ ଏବଂ ୨ ପ୍ଲାଟୁନ୍ ସାଦା ପୋଷାକଧାରୀ ପୁଲିସ୍ ମୁତୟନ କରାଯାଇଛନ୍ତି। ଏହାସହ ପ୍ରାୟ ୫୦ରୁ ଅଧିକ ସିସିଟିଭି କ୍ୟାମେରା ମାଧ୍ୟମରେ ମନ୍ଦିର ପରିସର, ପାର୍କିଂ ସ୍ଥାନ ଓ ଚାରିପାଖ ଅଞ୍ଚଳ ଉପରେ ନଜର ରଖାଯିବ। ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କୁ ଶୃଙ୍ଖଳା ବଜାୟ ରଖି ଦର୍ଶନ କରିବାକୁ ଅନୁରୋଧ କରାଯାଇଛି।

