Tue. Jun 30th, 2026

ନ୍ୟୁଜ ଡେକ୍ସ : ବହୁଚର୍ଚ୍ଚିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକ ହତ୍ୟା ମାମଲାରେ ଦୀର୍ଘ ବିଚାର ପ୍ରକ୍ରିୟା ପରେ ସୋମବାର ଅଦାଲତ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଯାଜପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ ମୁଖ୍ୟ ଅଭିଯୁକ୍ତ ତଥା ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶ ସ୍ୱାଇଁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହ ତାଙ୍କ ଉପରେ ୧ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲାଗୁ କରାଯାଇଛି। ଜରିମାନା ଅନାଦେୟ ହେଲେ ଅତିରିକ୍ତ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।ଘଟଣାରେ ରାକେଶଙ୍କୁ ସହଯୋଗ କରିଥିବା ଅମରେଶ ରାଉତଙ୍କୁ ମଧ୍ୟ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି।

ପ୍ରମାଣ ନଷ୍ଟ କରିବା ଏବଂ ଅପରାଧରେ ସହଯୋଗ କରିବା ଅଭିଯୋଗରେ ତାଙ୍କୁ ୫ ବର୍ଷର ସଶ୍ରମ କାରାଦଣ୍ଡ ଦଣ୍ଡାଦେଶ ଶୁଣାଯାଇଛି।ସୂଚନାନୁସାରେ, ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ତରୁଣ୍ଡେଇପଶି ଗ୍ରାମର ଝରାଫୁଲ ନାୟକ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ। ୨୦୨୧ ମସିହା ଜାନୁଆରୀ ୨୬ ତାରିଖରେ ଭୁବନେଶ୍ୱରରେ ତାଙ୍କୁ ହତ୍ୟା କରାଯାଇଥିଲା।

ପରେ ମୃତଦେହକୁ ଯାଜପୁର ଜିଲ୍ଲାରେ ଫୋପାଡ଼ି ଦିଆଯାଇଥିଲା।ଘଟଣାର ତଦନ୍ତ ବେଳେ ସିସିଟିଭି ଫୁଟେଜ ଏବଂ ଅନ୍ୟାନ୍ୟ ପ୍ରମାଣ ଆଧାରରେ ପୋଲିସ ଭୁବନେଶ୍ୱରରୁ ରାକେଶ ସ୍ୱାଇଁଙ୍କୁ ଗିରଫ କରିଥିଲା। ତଦନ୍ତ ଆଗକୁ ବଢ଼ିବା ସହ ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ ରହସ୍ୟ ଉନ୍ମୋଚନ ହୋଇଥିଲା। ଦୀର୍ଘ ବିଚାର ପ୍ରକ୍ରିୟା ପରେ ଅଦାଲତ ଉଭୟ ଅଭିଯୁକ୍ତଙ୍କ ବିରୋଧରେ ଏହି ରାୟ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *