ନ୍ୟୁଜ ଡେକ୍ସ : ପ୍ରତି ବର୍ଷ ମାର୍ଚ୍ଚ ମାସର ଦ୍ବିତୀୟ ଗୁରୁବାରକୁ ସମଗ୍ର ବିଶ୍ୱରେ ବିଶ୍ବ ବୃକ୍କ ଦିବସ ରୂପେ ପାଳନ କରାଯାଏ। ମାନବ ଶରୀରରେ ବୃକ୍କ ବା କିଡ୍ନିର ଗୁରୁତ୍ବ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ଏବଂ ବୃକ୍କ ସମ୍ବନ୍ଧୀୟ ବିଭିନ୍ନ ରୋଗ ବିଷୟରେ ଜଣାଇବା ଏହି ଦିବସ ପାଳନର ପ୍ରଧାନ ଉଦ୍ଦେଶ୍ୟ। ଡାକ୍ତରମାନଙ୍କ ମତାନୁସାରେ ମାନବ ଶରୀରରେ ବୃକ୍କ ଏକ ଅତ୍ୟନ୍ତ ଜରୁରୀ ଅଙ୍ଗ ଯାହା ଶରୀରକୁ ସୁସ୍ଥ ରଖିବାରେ ଅନେକ ମହତ୍ୱପୂର୍ଣ୍ଣ କାମ କରେ।
ବୃକ୍କର ପ୍ରଧାନ କାର୍ଯ୍ୟ ହେଉଛି ଆମ ଶରୀରରୁ ବର୍ଜ୍ୟବସ୍ତୁ ଓ ବିଷାକ୍ତ ପଦାର୍ଥକୁ ଛାଣି ବାହାର କରିବା। ଏହା ସହ ଏହା ଶରୀରରେ ରକ୍ତଚାପକୁ ନିୟନ୍ତ୍ରଣ କରିବା ସହିତ ଜଳୀୟ ଅଂଶ ଓ ଲବଣର ସନ୍ତୁଳନକୁ ମଧ୍ୟ ରକ୍ଷା କରିଥାଏ। ବୃକ୍କ ଠିକ ଭାବେ କାମ ନକଲେ ଶରୀରରେ ୟୁରେମିକ୍ ଟକ୍ସିନ୍ ଜମାହେବାକୁ ଲାଗେ, ଯାହା ଶରୀରର ଅନ୍ୟ ଅଙ୍ଗ ଯଥା ହୃତ୍ପିଣ୍ଡ ଓ ହାଡ଼କୁ ମଧ୍ୟ ଖରାପ ପ୍ରଭାବ ପକାଏ। ଏଥିରୁ ଅନେକ ସମୟରେ ରକ୍ତହୀନତା ଭଳି ସମସ୍ୟା ମଧ୍ୟ ଦେଖାଦେଇଥାଏ। ବୃକ୍କ ବିଫଳତାର କିଛି ପ୍ରାରମ୍ଭିକ ଲକ୍ଷଣ ମଧ୍ୟ ରହିଛି। ଯଥା ଗୋଡ଼ ଓ ହାତ ଫୁଲିଯିବା, ରାତିରେ ବାରମ୍ବାର ପରିସ୍ରା ଲାଗିବା, ଅତ୍ୟଧିକ ହାଲିଆ ଲାଗିବା ଓ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ବୃକ୍କ ସମସ୍ୟାର ସଙ୍କେତ ହୋଇପାରେ।
ଏହିପରି ଲକ୍ଷଣ ଦେଖାଦେଲେ ଅବହେଳା ନକରି ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।ଡାକ୍ତରମାନେ କହୁଛନ୍ତି ଯେ ସହଜ କିଛି ଅଭ୍ୟାସ ମାଧ୍ୟମରେ ବୃକ୍କକୁ ସୁସ୍ଥ ରଖିହେବ। ନିୟମିତ ପରିମାଣରେ ପାଣି ପିଇବା, ଅଧିକ ଲବଣ ଥିବା ଖାଦ୍ୟ ଏବଂ ଫାଷ୍ଟଫୁଡ୍ କିମ୍ବା ଜଙ୍କଫୁଡ୍ ଖାଇବାରୁ ଦୂରେଇ ରହିବା, ଅନାବଶ୍ୟକ ପେନ୍ କିଲର୍ ଔଷଧ ସେବନ ନକରିବା ଏବଂ ନିୟମିତ ଭାବେ ରକ୍ତଶର୍କରା ଓ ରକ୍ତଚାପ ପରୀକ୍ଷା କରି ସେଗୁଡିକୁ ନିୟନ୍ତ୍ରଣରେ ରଖିବା ଅତ୍ୟନ୍ତ ଜରୁରୀ।
ବିଶେଷଜ୍ଞମାନଙ୍କ ମତାନୁସାରେ ଆଧୁନିକ ଜୀବନଶୈଳୀ ଓ ଅସ୍ୱସ୍ଥ ଖାଦ୍ୟାଭ୍ୟାସ ଯୋଗୁଁ ବୃକ୍କ ରୋଗର ସଂଖ୍ୟା ଦିନକୁ ଦିନ ବଢ଼ୁଛି। ତେଣୁ ବିଶ୍ବ ବୃକ୍କ ଦିବସ ଅବସରରେ ଲୋକମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହୋଇ ସୁସ୍ଥ ଜୀବନଶୈଳୀ ଅନୁସରଣ କରିବାକୁ ଡାକ୍ତରମାନେ ଆହ୍ୱାନ କରିଛନ୍ତି।

