Fri. Apr 17th, 2026

ନ୍ୟୁଜ ଡେକ୍ସ : ନାରୀ ତୁମେ ସର୍ବଂସହା, ତୁମେ ସମାଜର ସ୍ରଷ୍ଟା। ମାତୃ ରୂପେ ସ୍ନେହମୟୀ, ପତ୍ନୀ ରୂପେ ପ୍ରେମମୟୀ ଓ ସଖୀ, ଭଗିନୀ ରୂପେ ପଥପ୍ରଦର୍ଶକ ଭାବେ ନାରୀ ସମାଜରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛନ୍ତି। ଏହି ମହିୟସୀ ନାରୀଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ସାରା ବିଶ୍ୱରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଏ।ନାରୀ ଯେବେ ଶିକ୍ଷିତ ହୋଇ ଆଗକୁ ବଢ଼େ, ସେ କେବଳ ନିଜର ଉନ୍ନତି ନୁହେଁ, ସମାଜର ଉନ୍ନତିର ମଧ୍ୟ ନୂଆ ପଥ ଖୋଲିଥାଏ।

ବ୍ୟବସ୍ଥାରେ ସୁଧାର, ସମାଜରେ ସଂସ୍କାର, ପରିବେଶ ସୁରକ୍ଷା ଓ ସୁରକ୍ଷା ସେନାର ନେତୃତ୍ୱ ପର୍ଯ୍ୟନ୍ତ ନାରୀମାନେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିଭାଉଛନ୍ତି। ବ୍ୟବସାୟ ଠାରୁ ଆରମ୍ଭ କରି ବିଜ୍ଞାନ, କ୍ରୀଡ଼ା ଓ ପର୍ବତାରୋହଣ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ନାରୀ ନିଜ ସ୍ୱତନ୍ତ୍ର ପରିଚୟ ଗଢ଼ି ଇତିହାସ ରଚିଛନ୍ତି।ସମାଜରେ ସମାନ ଅଧିକାର ପାଇଁ ନାରୀମାନଙ୍କ ସଂଘର୍ଷ ଦୀର୍ଘଦିନ ଧରି ଚାଲିଆସୁଛି। ସମାନ ଦରମା, ସମାନ ଅଧିକାର ଓ ସମାନ ମର୍ଯ୍ୟାଦା ପାଇଁ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା। ପରିଧି ଭିତରେ ସୀମିତ ହୋଇ ରହିବାକୁ ଅସ୍ୱୀକାର କରିଥିବା ମହିଳାମାନେ ଏହି ଆନ୍ଦୋଳନର ଆରମ୍ଭ କରିଥିଲେ ଏବଂ ସମାନତା ପାଇଁ ଲଢ଼େଇକୁ ଆଗକୁ ବଢ଼ାଇଥିଲେ। ଅନ୍ତର୍ଜାତୀୟ ମହିଳା ଦିବସ କେବଳ ଗୋଟିଏ ଦିନ ପାଇଁ ମହିଳାଙ୍କୁ ସମ୍ମାନ ଦେବାର ଦିନ ନୁହେଁ। ବରଂ ସମାଜର ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ଅବଦାନକୁ ସ୍ୱୀକୃତି ଓ ସମ୍ମାନ ଦେବାର ଏକ ଅବସର।ଚଳିତବର୍ଷ ଅନ୍ତର୍ଜାତୀୟ ମହିଳା ଦିବସ ପାଇଁ ଜାତିସଂଘ ଘୋଷିତ ଥିମ୍ ହେଉଛି “ଅଧିକାର, ନ୍ୟାୟ ଓ କାର୍ଯ୍ୟ ସମସ୍ତ ମହିଳା ଏବଂ ଝିଅମାନଙ୍କ ପାଇଁ”।

ଏହି ଥିମ୍ ମାଧ୍ୟମରେ ଲିଙ୍ଗ ସମାନତା, ସଶକ୍ତିକରଣ, ନେତୃତ୍ୱ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଆର୍ଥିକ କ୍ଷେତ୍ରରେ ମହିଳାଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି ଉପରେ ସାରା ବିଶ୍ୱର ଧ୍ୟାନ କେନ୍ଦ୍ରିତ କରାଯାଇଛି।ନାରୀ ଶକ୍ତି, ସାହସ ଓ ସୃଜନଶୀଳତାର ପ୍ରତୀକ। ସମାଜର ସଂରଚନା ଓ ଉନ୍ନତିରେ ନାରୀଙ୍କ ଅବଦାନ ଅସୀମ। ସେଥିପାଇଁ ନାରୀଙ୍କୁ ସମ୍ମାନ, ସୁଯୋଗ ଓ ସମାନ ଅଧିକାର ଦେବା ହେଉଛି ଆଗାମୀ ସମୃଦ୍ଧ ସମାଜର ଭିତ୍ତି।

Leave a Reply

Your email address will not be published. Required fields are marked *