ନ୍ୟୁଜ ଡେକ୍ସ : ଇଟାଲୀରେ ଦୁଇ ଜଣ ଭାରତୀୟଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଘଟଣା ଆନ୍ତର୍ଜାତୀୟ ମହଳରେ ଚର୍ଚ୍ଚା ସୃଷ୍ଟି କରିଛି। ଶୁକ୍ରବାର ବିଳମ୍ବିତ ରାତିରେ ଉତ୍ତର ଇଟାଲୀର କୋଭୋ ସହରରେ ଏହି ମର୍ମାନ୍ତିକ ଘଟଣା ଘଟିଥିଲା। ବୈଶାଖୀ ଉତ୍ସବ ସମୟରେ ଏକ ଗୁରୁଦ୍ୱାରରୁ ବାହାରୁଥିବା ବେଳେ ଦୁଇ ଭାରତୀୟଙ୍କୁ ଲକ୍ଷ୍ୟ କରି ଅଜଣା ଆକ୍ରମଣକାରୀମାନେ ଆଖିବୁଜା ଗୁଳିଚାଳନ କରିଥିଲେ।
ମୃତକଙ୍କୁ ରାଜିନ୍ଦର ସିଂହ (୪୮) ଏବଂ ଗୁରମିତ ସିଂହ (୪୮) ଭାବେ ପରିଚୟ ମିଳିଛି। ରାଜିନ୍ଦର ସିଂହ କୋଭୋରେ ବସବାସ କରୁଥିବା ବେଳେ ଗୁରମିତ ସିଂହ ନିକଟସ୍ଥ ଆଗ୍ନାଡେଲୋ ଅଞ୍ଚଳର ନିବାସୀ ଥିଲେ। ଆକ୍ରମଣ ସମୟରେ ଦୁଇଜଣ ଗୁରୁଦ୍ୱାରରୁ ବାହାରୁଥିବା ବେଳେ ଅଚାନକ ଗୁଳିବର୍ଷା ହୋଇଥିଲା ଓ ଘଟଣାସ୍ଥଳରେ ହିଁ ସେମାନେ ମୃତ୍ୟୁବରଣ କରିଥିଲେ।ପୋଲିସ ସୂଚନା ଅନୁସାରେ, ଆକ୍ରମଣକାରୀମାନେ ଘଟଣା ପରେ ଏକ କାରରେ ପଳାଇ ଯାଇଥିଲେ। ଘଟଣାସ୍ଥଳରୁ ପ୍ରାୟ ୧୦ଟି ଖାଲି କାର୍ଟ୍ରିଜ୍ ଜବତ କରାଯାଇଛି। ପ୍ରାରମ୍ଭିକ ତଦନ୍ତରୁ ଏହା ଏକ ପୂର୍ବ ଯୋଜନାବଦ୍ଧ ଓ ଟାର୍ଗେଟେଡ୍ କିଲିଂ ଥିବା ସନ୍ଦେହ କରାଯାଉଛି। ଏହି ଗୁଳିକାଣ୍ଡରେ ତୃତୀୟ ଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି।
ସେଠାରେ ଉପସ୍ଥିତ ଲୋକମାନଙ୍କ ମଧ୍ୟରେ ଏହି ଘଟଣା ଭୟ ଓ ଆତଙ୍କ ସୃଷ୍ଟି କରିଛି।କୋଭୋ ସହରର ମେୟର ଏହି ଘଟଣାକୁ ନିନ୍ଦା କରି ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଶିଖ ସମ୍ପ୍ରଦାୟ ପଛଲା ୧୫ ବର୍ଷ ଧରି ଏଠାରେ ଶାନ୍ତିପୂର୍ଣ୍ଣ ଭାବରେ ବସବାସ କରୁଥିଲେ ଏବଂ ଏପରି ଘଟଣା ପୂର୍ବରୁ କେବେ ଦେଖାଯାଇନଥିଲା।ପୋଲିସ ଘଟଣାର ତଦନ୍ତକୁ ତୀବ୍ର କରିଛି। ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି, ସାକ୍ଷୀମାନଙ୍କୁ ପଚରାଉଚରା କରାଯାଉଛି ଓ ଜବତ ହୋଇଥିବା ଗୁଳି ଓ କାର୍ଟ୍ରିଜ୍ର ତଦନ୍ତ ଚାଲିଛି। ଏହି ଘଟଣା ପଛରେ କେଉଁ ଉଦ୍ଦେଶ୍ୟ ରହିଛି ତାହା ଖୋଜିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

