Sun. Apr 19th, 2026

ନ୍ୟୁଜ ଡେକ୍ସ : ଫେବ୍ରୁଆରି ୨୮ ତାରିଖରେ ଇରାନ ଉପରେ ଆମେରିକା ଓ ଇସ୍ରାଏଲ ଯୁକ୍ତ ଆକ୍ରମଣ କରିବା ପୂର୍ବରୁ ଚୀନ୍ ଏହା ସମ୍ପର୍କରେ ସୂଚନା ପାଇଥିବା ଦାବି ହେଉଛି। ଆମେରିକାର ସାମରିକ ପ୍ରସ୍ତୁତିକୁ ମହାକାଶରେ ଥିବା ସାଟେଲାଇଟ୍ ମାଧ୍ୟମରେ ଚୀନ୍ ଆଗରୁ ଚିହ୍ନଟ କରିଥିବା କୁହାଯାଉଛି। ପ୍ରଥମ କ୍ଷେପଣାସ୍ତ୍ର ନିକ୍ଷେପ ପୂର୍ବରୁ ଆମେରିକା ଏକ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତି ନେଉଥିବା ସୂଚନା ଚୀନ୍‌କୁ ମିଳିଥିଲା।

ଆମେରିକାର ସାମରିକ ପ୍ରସ୍ତୁତି ସମ୍ପର୍କିତ ଉଚ୍ଚ-ରିଜୋଲ୍ୟୁସନ୍ ସାଟେଲାଇଟ୍ ଚିତ୍ରଗୁଡ଼ିକ ଏବେ ସୋସିଆଲ ମିଡିଆରେ ମଧ୍ୟ ପ୍ରସାରିତ ହେଉଛି। ଚୀନ୍‌ର କୃତ୍ରିମ ବୁଦ୍ଧିମତ୍ତା ଷ୍ଟାର୍ଟଅପ୍ ମିଜାରଭିଜନ ଦାବି କରିଛି ଯେ ସେମାନେ ଏହି ଅଞ୍ଚଳରେ ଆମେରିକୀୟ ସାମରିକ ଭିତ୍ତିଭୂମି ଓ ଯୁଦ୍ଧ ପ୍ରସ୍ତୁତିର ରିୟଲ୍-ଟାଇମ୍ ସାଟେଲାଇଟ୍ ଚିତ୍ର ପ୍ରକାଶ କରିଛନ୍ତି। ଏହି ଚିତ୍ରଗୁଡ଼ିକରେ ଏଫ-୨୨ ଗୁପ୍ତ ଯୁଦ୍ଧ ବିମାନର ସଠିକ୍ କୋର୍ଡିନେଟ୍ ଠାରୁ ଆରମ୍ଭ କରି ପରମାଣୁ ଶକ୍ତି ସମ୍ପନ୍ନ ବିମାନ ବାହକ ଜାହାଜର ଡେକ୍ ବ୍ୟବସ୍ଥା ପର୍ଯ୍ୟନ୍ତ ଅନେକ ସାମରିକ ତଥ୍ୟ ଦେଖାଯାଉଛି। ଏଥିସହିତ ରନୱେରେ ପାର୍କିଂ ହୋଇଥିବା ଯୁଦ୍ଧ ବିମାନ ଓ ମରୁଭୂମି ଅଞ୍ଚଳର ବିମାନକ୍ଷେତ୍ରରେ ଅବତରଣ କରୁଥିବା ପରିବହନ ବିମାନ ମଧ୍ୟ ଏହି ଚିତ୍ରରେ ସ୍ପଷ୍ଟ ଭାବେ ଦେଖାଯାଉଛି।ବିଶେଷଜ୍ଞମାନଙ୍କ ମତାନୁସାରେ, ଏହି ପ୍ରକାର ସାଟେଲାଇଟ୍ ଚିତ୍ର ସାମରିକ ଗୁପ୍ତଚରୀ କାର୍ଯ୍ୟକୁ ପର୍ଦ୍ଦାଫାସ୍ କରିବାର କ୍ଷମତା ରଖେ।

ତେବେ ମିଜାରଭିଜନ କହିଛି ଯେ ଏହି ଚିତ୍ରଗୁଡ଼ିକ କେବଳ ବାଣିଜ୍ୟିକ ବ୍ୟବହାର ପାଇଁ ଉଦ୍ଦିଷ୍ଟ।ଅପରେସନ୍ ଏପିକ୍ ଫ୍ୟୁରି ଆରମ୍ଭ ସମୟରେ ମିଜାରଭିଜନ ଦାବି କରିଥିଲା ଯେ ପଶ୍ଚିମ ଏସିଆ ଅଞ୍ଚଳକୁ ଯାଉଥିବା ଆମେରିକାର ୟୁଏସ୍‌ଏସ୍‌ ଜେରାଲ୍ଡ ଆର. ଫୋର୍ଡ ଓ ୟୁଏସ୍‌ଏସ୍‌ ଆବ୍ରାହମ ଲିଙ୍କନ ଯୁଦ୍ଧଜାହାଜକୁ ସେମାନେ ଟ୍ରାକ୍ କରିଥିଲେ।

ସେହିପରି ସାମୁଦ୍ରିକ ପାଟ୍ରୋଲ୍ ଜେଟ୍‌ଗୁଡ଼ିକର ଗତିବିଧିକୁ ବାହକ ଜାହାଜର ସ୍ଥିତି ସହ ଯୋଡ଼ିବା ପାଇଁ ଫ୍ଲାଇଟ୍-ଟ୍ରାକିଂ ସଫ୍ଟୱେର୍ ମଧ୍ୟ ବ୍ୟବହାର କରାଯାଇଥିବା ସେମାନେ କହିଛନ୍ତି। ମିଜାରଭିଜନ ଯେଉଁ ସାମରିକ ସ୍ଥାନଗୁଡ଼ିକୁ ଚିହ୍ନଟ କରିଥିଲା, ସେଗୁଡ଼ିକ ମଧ୍ୟରୁ ଅନେକ ପରେ ଇରାନୀ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣର ଲକ୍ଷ୍ୟବସ୍ତୁ ହୋଇଥିଲା। ତଥାପି ଚୀନ୍ ଓ ଇରାନ ମଧ୍ୟରେ ଗୋପନୀୟ ତଥ୍ୟ ଆଦାନ-ପ୍ରଦାନ ହୋଇଥିବାର କୌଣସି ସିଧାସଳଖ ପ୍ରମାଣ ଏପର୍ଯ୍ୟନ୍ତ ମିଳିନାହିଁ।

Leave a Reply

Your email address will not be published. Required fields are marked *