Sun. Apr 19th, 2026

ନ୍ୟୁଜ ଡେକ୍ସ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ବିଶ୍ୱ ଆଭିଏସନ ଖାତରେ ପଡ଼ିବା ଆରମ୍ଭ କରିଛି। ବିମାନ ଇନ୍ଧନର ଦର ହଠାତ୍ ବୃଦ୍ଧି ପାଇବାରୁ ବିଶ୍ୱର ବିଭିନ୍ନ ଏୟାରଲାଇନ୍ସ କମ୍ପାନି ଟିକଟ ମୂଲ୍ୟ ବଢ଼ାଇବା ଆରମ୍ଭ କରିଛନ୍ତି। ଆଭିଏସନ ଟର୍ବାଇନ୍ ଫୁଏଲ୍ (ଏଟିଏଫ୍) ମୂଲ୍ୟ ବଢ଼ିବାରୁ ଏୟାରଲାଇନ୍ସଗୁଡ଼ିକର ପରିଚାଳନା ଖର୍ଚ୍ଚ ବୃଦ୍ଧି ପାଇଛି।

ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆର କ୍ବାଣ୍ଟାସ୍ ଏୟାରୱେଜ୍, ସ୍କାଣ୍ଡିନାଭିଆର ଏସ୍ଏଏସ୍ ଓ ନ୍ୟୁଜିଲ୍ୟାଣ୍ଡର ଏୟାର ନ୍ୟୁଜିଲ୍ୟାଣ୍ଡ୍ ନିଜ ନିଜ ବିମାନ ଟିକଟ ଦର ବଢ଼ାଇଛନ୍ତି। ଯୁଦ୍ଧ ପୂର୍ବରୁ ବିମାନ ଇନ୍ଧନର ବ୍ୟାରେଲ୍ ପିଛା ମୂଲ୍ୟ ପ୍ରାୟ ୮୫ ରୁ ୯୦ ଡଲାର ମଧ୍ୟରେ ଥିଲା। ବର୍ତ୍ତମାନ ଏହା ବଢ଼ି ୧୫୦ ରୁ ୨୦୦ ଡଲାର ପର୍ଯ୍ୟନ୍ତ ପହଞ୍ଚିଛି।ହର୍ମୁଜ ପ୍ରଣାଳୀ ଦେଇ ତେଲ ବୋଝା ଜାହାଜ ସାଧାରଣ ଭାବେ ଚଳାଚଳ କରିପାରୁନଥିବାରୁ ବିଶ୍ୱବଜାରରେ ତେଲ ଦର ବୃଦ୍ଧି ପାଉଛି। ଏହାର ସିଧାସଳଖ ପ୍ରଭାବ ବିମାନ ଇନ୍ଧନ ମୂଲ୍ୟ ଉପରେ ପଡ଼ିଛି।

ଯଦି ଯୁଦ୍ଧ ପରିସ୍ଥିତି ଦୀର୍ଘ ସମୟ ଯାଏଁ ଜାରି ରହେ, ତେବେ ବିମାନ ଟିକଟ ଆହୁରି ମହଙ୍ଗା ହେବା ସହ ବିମାନ ଯାତ୍ରା ପ୍ରତି ଲୋକଙ୍କ ଚାହିଦା କମିଯାଇପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି।ଏହା ସହିତ ଆକାଶମାର୍ଗ ବନ୍ଦ ଓ ସୀମିତ କ୍ଷମତା କାରଣରୁ ଏସିଆ ଓ ୟୁରୋପ ମଧ୍ୟରେ ବିମାନ ଭଡ଼ା ମଧ୍ୟ ଆକାଶଛୁଆଁ ସ୍ତରରେ ପହଞ୍ଚିଛି। ହଂକଂ ଏୟାରଲାଇନ୍ସ ମଧ୍ୟ ବଢ଼ୁଥିବା ତେଲ ଦରକୁ ନେଇ ଚିନ୍ତା ପ୍ରକଟ କରିଛି। କମ୍ପାନିର କହିବା ଅନୁସାରେ, ଏହା ହଂକଂ, ମାଳଦ୍ବୀପ, ବାଂଲାଦେଶ ଓ ନେପାଳ ମଧ୍ୟରେ ବିମାନ ଯାତ୍ରାକୁ ପ୍ରଭାବିତ କରିପାରେ।

Leave a Reply

Your email address will not be published. Required fields are marked *