ନ୍ୟୁଜ ଡେକ୍ସ : ଆଞ୍ଚଳିକ ଉତ୍ତେଜନା ବୃଦ୍ଧି ପାଉଥିବା ପରିପ୍ରେକ୍ଷିତରେ କେନ୍ଦ୍ର ସରକାର ଭାରତୀୟ ନାଗରିକଙ୍କୁ ଇରାନ ଯାତ୍ରା ନକରିବାକୁ କଡ଼ା ପରାମର୍ଶ ଜାରି କରିଛନ୍ତି। ବିଶେଷ କରି ବିମାନ କିମ୍ବା ସ୍ଥଳପଥ ମାଧ୍ୟମରେ ଇରାନକୁ ଯିବାକୁ ଏଡ଼ାଇବା ପାଇଁ ସରକାର ନାଗରିକମାନଙ୍କୁ ସଚେତନ କରିଛନ୍ତି।ତେହେରାନରେ ଅବସ୍ଥିତ ଭାରତୀୟ ଦୂତାବାସ ଏହାର ସଦ୍ୟତମ ପରାମର୍ଶରେ କହିଛି ଯେ ଆକାଶ ଓ ଜଳପଥରେ ଯାତାୟାତ ସମ୍ପର୍କରେ ଅନିଶ୍ଚିତତା ଜାରି ରହିଛି।
ଆଞ୍ଚଳିକ ଉତ୍ତେଜନା କାରଣରୁ ବିମାନ ସେବା ପ୍ରଭାବିତ ହେଉଥିବା ସହ ଅନ୍ତର୍ଜାତୀୟ ଉଡ଼ାଣରେ ବିଘ୍ନ ସୃଷ୍ଟି ହେଉଛି।ଯଦିଓ ଭାରତ ଓ ଇରାନ ମଧ୍ୟରେ କିଛି ବିମାନ ଉଡ଼ାଣ ପୁନଃ ଆରମ୍ଭ ହେବାର ସୂଚନା ମିଳୁଛି, ତଥାପି ସ୍ଥିତି ସମ୍ପୂର୍ଣ୍ଣ ସାଧାରଣ ହୋଇନଥିବାରୁ ପୂର୍ବରୁ ଜାରି ଥିବା ପରାମର୍ଶକୁ ଜାରି ରଖାଯାଇଛି। ସେହିପରି ଭାରତୀୟମାନଙ୍କୁ ବିମାନ ଓ ସ୍ଥଳପଥ ଦୁଇପଟେ ଇରାନ ଯାତ୍ରା ନକରିବାକୁ ଅନୁରୋଧ କରାଯାଇଛି।
ଏହା ସହିତ ଇରାନରେ ବର୍ତ୍ତମାନ ରହୁଥିବା ଭାରତୀୟମାନଙ୍କୁ ସମ୍ଭବ ହେଲେ ସୁରକ୍ଷିତ ଭାବେ ଦେଶ ଛାଡିବାକୁ ପରାମର୍ଶ ଦିଆଯାଇଛି। କୌଣସି ପ୍ରକାର ଅସୁବିଧା କିମ୍ବା ଆପତ୍କାଳୀନ ପରିସ୍ଥିତିରେ ତୁରନ୍ତ ଭାରତୀୟ ଦୂତାବାସ ସହ ସମ୍ପର୍କ ସ୍ଥାପନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।କେନ୍ଦ୍ର ସରକାରଙ୍କ ଏହି ପରାମର୍ଶକୁ ଗମ୍ଭୀରତାର ସହ ନେବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛି, ଯାହାଦ୍ୱାରା ଅପ୍ରତ୍ୟାଶିତ ସମସ୍ୟାରୁ ନିଜକୁ ସୁରକ୍ଷିତ ରଖିପାରିବେ।

