ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ଆନୁକୂଲ୍ୟରେ ଏବଂ ରୁସା ୨.୦ ର ଆର୍ଥିକ ପୃଷ୍ଠପୋଷକତାରେ ‘ଭାରତୀୟ ଜ୍ଞାନ ପ୍ରଣାଳୀର ଏକୀକରଣ: ଓଡ଼ିଶା ପ୍ରସଙ୍ଗ’ ଶୀର୍ଷକ ଦ୍ଵିଦିବସୀୟ (ମାର୍ଚ୍ଚ ୨୦-୨୧, ୨୦୨୬) ଆନ୍ତର୍ଜାତିକ ସମ୍ମିଳନୀ ସଫଳତାର ସହ ଉଦ୍ଯାପିତ ହୋଇଯାଇଛି।ଆଲୋଚନାଚକ୍ରର ଉଦ୍ଘାଟନୀ ଉତ୍ସବରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଯଜ୍ଞେଶ୍ଵର ଦଣ୍ଡପାଟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ମୁଖ୍ୟ ବକ୍ତା ଭାବେ ଇତିହାସ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ହିମାଂଶୁ ଶେଖର ପଟ୍ଟନାୟକ ଏବଂ ବିଶିଷ୍ଟ ବକ୍ତା ଭାବେ ଶ୍ରୀଲଙ୍କା ପେରାଡେନିୟା ବିଶ୍ୱବିଦ୍ୟାଳୟର ଡ. ଉଦିଥା ନିରୋଶିନୀ ଜିନାଦାସା ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଇତିହାସ ବିଭାଗର ମୁଖ୍ୟ ତଥା ସମ୍ମିଳନୀର ନିର୍ଦ୍ଦେଶକ ପ୍ରଫେସର ଜୟନ୍ତୀ ଦୋରା ସମସ୍ତଙ୍କୁ ସ୍ୱାଗତ କରିବା ସହ ଆଲୋଚନାଚକ୍ରର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଏହି ଉଦ୍ଘାଟନୀ ସମାରୋହରେ ସମ୍ମାନିତ ଅତିଥି ଭାବେ ପି.ଜି. କାଉନ୍ସିଲ୍ ଅଧ୍ୟକ୍ଷା ପ୍ରଫେସର ମିତାଲି ଚିନ୍ନାରା, ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଅନ୍ନପୂର୍ଣ୍ଣା ପାଣ୍ଡେ, ମଣିପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଏଚ୍. ସୁଧୀର କୁମାର ସିଂହ, ମଧ୍ୟପ୍ରଦେଶ ଆଇ.ଜି.ଏନ.ଟି.ୟୁର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଏବଂ ପ୍ରତ୍ନତତ୍ତ୍ୱ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ସଦାଶିବ ପ୍ରଧାନ ଯୋଗଦାନ କରିଥିଲେ।
ଏହି ଅବସରରେ ପ୍ରଫେସର ସଦାଶିବ ପ୍ରଧାନଙ୍କ ସମ୍ମାନାର୍ଥେ ଏକ ଅଭିନନ୍ଦନ ଗ୍ରନ୍ଥ ଉନ୍ମୋଚିତ ତଥା ପ୍ରକାଶିତ ହୋଇଥିଲା। ଇତିହାସ ବିଭାଗର ଡ. ପାରେଶ୍ୱର ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ ଡ. ଅଜିତ୍ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଦୁଇ ଦିନ ଧରି ଚାଲିଥିବା ଏହି ସମ୍ମିଳନୀରେ ଭାରତୀୟ ଜ୍ଞାନ ପ୍ରଣାଳୀର ସଭ୍ୟତାଗତ ଭିତ୍ତିଭୂମି, ମାନବାଧିକାର, ସାମାଜିକ ନ୍ୟାୟ ଏବଂ ପ୍ରାଚୀନ ଶାସନ ବ୍ୟବସ୍ଥାର ଝଲକ, କୁଟୁମ୍ବ ପ୍ରବୋଧନ, ଜନସ୍ୱାସ୍ଥ୍ୟ, ଭାରତୀୟ ଚିନ୍ତାଧାରାରେ ନୈତିକ ନେତୃତ୍ୱ ଏବଂ ରାଷ୍ଟ୍ର ନିର୍ମାଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ସାତଟି ସମାନ୍ତରାଳ ଅଧିବେଶନ ସହ ଦୁଇଟି ପୂର୍ଣ୍ଣାଙ୍ଗ ଅଧିବେଶନ ଅନୁଷ୍ଠିତ ହୋଇଥିଲା।ମାର୍ଚ୍ଚ ୨୧ ତାରିଖରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ଭୂଗୋଳ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ସଚ୍ଚିଦାନନ୍ଦ ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ଇତିହାସ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ଅମଳ କୁମାର ମିଶ୍ର ଏବଂ ଆମେରିକାରୁ ଆସିଥିବା ଡ. ଲୁଜିଲ୍ଡା ସି. ଆର୍ସିନିଏଗା ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଇତିହାସ ବିଭାଗର ଡ. ଶୁଭଶ୍ରୀ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିବା ସହ ଶ୍ରୀ ରମେଶ ଚନ୍ଦ୍ର ମହାନ୍ତ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ବିଭାଗର ବହୁ ଛାତ୍ରଛାତ୍ରୀ, ଗବେଷକ ଓ ଅଧ୍ୟାପକ ଉପସ୍ଥିତ ଥିଲେ।

