ନ୍ୟୁଜ ଡେକ୍ସ : ରାଜ୍ୟ ସରକାର ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନକୁ ଗୁରୁତ୍ୱ ଦେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ଗତ ୨୦ ମାସରେ ୨୨,୫୦୨ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି ଏବଂ ଚଳିତ ବର୍ଷ ଆହୁରି ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ତ୍ବରାନ୍ବିତ କରାଯାଇଛି।
ଖର୍ଚ୍ଚ ଦାବି ଆଲୋଚନାରେ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି ଯେ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ୨୨୦୦ ବିଦ୍ୟାଳୟକୁ ଆଧୁନିକ ରୂପ ଦିଆଯିବ। ମୁଖ୍ୟମନ୍ତ୍ରୀ ପୂର୍ବରୁ ୧୧୮ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବାବେଳେ ଶୀଘ୍ର ଏଥିରେ ଆଉ ୬୦୦ ବିଦ୍ୟାଳୟ ସାମିଲ ହେବ।ଚଳିତ ବର୍ଷ ଏହି ଯୋଜନା ପାଇଁ ୧୦୧୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିପରି ସମଗ୍ର ଶିକ୍ଷା ପାଇଁ ୧୧୩୧ କୋଟି, ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା ପାଇଁ ୭୦୯ କୋଟି ଏବଂ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ପାଇଁ ୭୩୧ କୋଟି ୨୨ ଲକ୍ଷ ୫୫ ହଜାର ଟଙ୍କା ବରାଦ ହୋଇଛି।
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୧୨୨୩ କୋଟି ୯୮ ଲକ୍ଷ ୩୫ ହଜାର ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ ଛାତ୍ରଛାତ୍ରୀଙ୍କ ପାଇଁ ସାଇକେଲ, ପରିଧାନ ଓ ପାଠ୍ୟପୁସ୍ତକ ବଣ୍ଟନ ପାଇଁ ମଧ୍ୟ ବିଶେଷ ବ୍ୟବସ୍ଥା ହୋଇଛି।ପିଲାମାନଙ୍କୁ ଉନ୍ନତମାନର ମଧ୍ୟାହ୍ନ ଭୋଜନ ଯୋଗାଇବା ପାଇଁ ପ୍ରାଥମିକ ବିଦ୍ୟାଳୟରେ ପିଲା ପିଛା ୧୧ ଟଙ୍କା ଓ ଉଚ୍ଚ ପ୍ରାଥମିକରେ ୧୪ ଟଙ୍କା ୭୪ ପଇସା ଦିଆଯାଉଛି।ଭିତ୍ତିଭୂମି ଉନ୍ନତି ପାଇଁ ଚଳିତ ବଜେଟରେ ୯୩୦ କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ ହୋଇଛି। ଏଥିରେ ନୂତନ ଶ୍ରେଣୀଗୃହ ନିର୍ମାଣ, ଶୌଚାଳୟ, ବିଦ୍ୟାଳୟ ମରାମତି ଓ ଅନ୍ୟାନ୍ୟ ସୁବିଧା ସାମିଲ ଅଛି।
ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଣ ପାଇଁ ୫୧ କୋଟି ଟଙ୍କା ବରାଦ ହୋଇଛି। ଏହା ଦ୍ୱାରା ଶିକ୍ଷାବର୍ଷ ଆରମ୍ଭରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ପୁସ୍ତକ ଯୋଗାଇ ଦିଆଯିବ।ଏହି ବଜେଟ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ଛାତ୍ରଛାତ୍ରୀଙ୍କ ସମଗ୍ର ଉନ୍ନତିକୁ ତ୍ବରାନ୍ବିତ କରିବ ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମତ ପ୍ରକାଶ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ଅଧିକାରୀମାନେ ମଧ୍ୟ ବଜେଟ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ।

